ମହାନଦୀ ପଠାରୁ ମିଳିଲା ନିଖୋଜ ଓଡ୍ରାଫ ଯବାନଙ୍କ ମୃତଦେହ

ଭୁବନେଶ୍ୱର: ମିଳିଲା ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ। ମହାନଦୀର କଖଡି ଘାଟରୁ ସୀତାରାମଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି।ଗତକାଲି ମହାନଦୀରେ ଫସି ରହିଥିବା ହାତୀକୁ ଉଦ୍ଧାର ବେଳେ ଓଲଟି ପଡିଥିଲା ଓଡ୍ରାଫ୍ ବୋଟ୍। ଆଉ ନିଖୋଜ ହୋଇଯାଇଥିଲେ ଏହି ଓଡ୍ରାଫ ଯବାନ ଜଣଙ୍କ। ପୂର୍ବରୁ ନିଖୋଜ ଯବାନଙ୍କୁ ଖୋଜିବା ଲାଗି ଓଡ୍ରାଫ୍ ଓ ଏନଡିଆରଏଫର ଦୁଇଟି ବୋଟ୍ ସର୍ଚ୍ଚ ଅପରେସନରେ ଲାଗିଥିଲା।

ଉଲ୍ଲେଖଯୋଗ୍ୟ, ଗତକାଲି ହାତୀ ଉଦ୍ଧାର ବେଳେ ଓଡ୍ରାଫ୍ ବୋଟ୍ ଓଲଟି ଯାଇଥିଲା। ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଥିଲା। ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ । ଭାସିଯିବାର କିଛି ସମୟ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦେଶୀ ଡଙ୍ଗାରେ ଅରିନ୍ଦମଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ପରବର୍ତ୍ତୀ ସମୟରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା। ୨ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ରହିଥିଲା। ଏହି ଅଘଟଣରେ ଅରିନ୍ଦମ ଦାସଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।

Leave a Reply