spot_img

Latest Posts

ଭାଗ୍ୟର ବିଡ଼ମ୍ବନା, ଚଷମା ମରାମତି କରୁଛନ୍ତି ଫୁଟବଲ ଖେଳାଳି

ନୂଆଦିଲ୍ଲୀ:  ଭାରତୀୟ ଦଳର ପ୍ରତିନିଧିତ୍ୱ କରିବା, ଇଣ୍ଡିଆ କ୍ୟାମ୍ପରେ ଅଂଶଗ୍ରହଣ କରିବା ଏବଂ ସନ୍ତୋଷ ଟ୍ରଫି ସମେତ ଏକାଧିକ ପ୍ରତିଯୋଗୀତାରେ ସାନଦାର ପ୍ରଦର୍ଶନ କରିବା ପରେ ଯଦି ଜଣେ ଖେଳାଳି ନିଜ ପାଇଁ ଆଉ ନିଜ ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ ଜାରି ରଖେ, ତେବେ ଏହା କୌଣସି ଦୁର୍ଭାଗ୍ୟ ଠାରୁ କମ୍ ନୁହେଁ । ଏହି ଦୁର୍ଭାଗ୍ୟପୂର୍ଣ୍ଣ କାହାଣୀ ହେଉଛି ଗୁମଲାର ଫୁଟବଲର ଆସିଫ ଅଲ୍ଲିଙ୍କର । ଯିଏ ଆଜିକାଲି ଖେଳରେ ସକ୍ରିୟ ନାହାଁନ୍ତି ବରଂ ଚଷମା ମରାମତି କରୁଛନ୍ତି, କେବଳ ପରିବାର ମୁହଁରେ ଦୁଇ ଓଳି ଆହାର ଯୋଗାଇବା ପାଇଁ ।

ପିଲାଟି ଦିନରୁ ଫୁଟବଲ ଖେଳିବାର ନିଶା, ଆଉ ତା ସାଙ୍ଗକୁ ଭାରତୀୟ ଫୁଟବଲ ଦଳର ଜଣେ ଖେଳାଳି ହେବାକୁ ନେଇ ଅସୁମାରୀ ଆଶା । ଆଖିରେ ଆଖିଏ ସ୍ୱପ୍ନ ସଜେଇ ୨୦୦୬ରେ ଗୁମଲା ଡେ ବୋର୍ଡ଼ଂ ସେଣ୍ଟରର କୋଚ୍ ରିଜବାନ ଅଲ୍ଲିଙ୍କ ଠାରୁ ପ୍ରଶିକ୍ଷଣ ନେବା ଆରମ୍ଭ କଲେ ଆସିଫ୍ । ୨୦୦୭-୦୮ରେ ପ୍ରଥମ ଥର କୋଲକାତାରେ ଆୟୋଜିତ SGFI ବା ସ୍କୁଲ ଗେମ୍ସ ଫେଡେରେସନ ଅଫ୍ ଇଣ୍ଡିଆର ଜାତୀୟ ପ୍ରତିଯୋଗୀତାରେ ଭଲ ପ୍ରଦର୍ଶନ କରି ଦଳକୁ କାଂସ୍ୟ ପଦକ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଆସିଫ୍।

ଏହାପରେ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ଅଣ୍ଡର ୧୩ ନ୍ୟାସନାଲ ଚାମ୍ପିଅନସିପରେ ନିଜର ପ୍ରତିଭା ଦେଖାଇଥିଲେ । ଯାହାପରେ ଭାରତୀୟ ଦଳରେ ତାଙ୍କୁ ଚୟନ କରାଗଲା । ଏହାପରେ ଅଭ୍ୟାସ ମ୍ୟାଚ୍ ପାଇଁ ୨୦୧୦ରେ ଇରାନ ଗଲେ ଆସିଫ୍ । ପରେ ଅଣ୍ଡର ୧୪ ଭାରତୀୟ ଦଳର କ୍ୟାମ୍ପ୍ ପାଇଁ ଚୟନ ହେଲେ ।

କିନ୍ତୁ କୁହାଯାଏ, ଭାଗ୍ୟର ବିଡ଼ମ୍ବନା କଥା କିଏ ବା କହିପାରିବ ? ଏତେ ଭଲ ପ୍ରଦର୍ଶନ କରି ଛାଡ଼ଖଣ୍ଡକୁ ଗର୍ବିତ କରିଥିବା ଆସିଫଙ୍କୁ ଏକ ଚାକିରି ମଧ୍ୟ ମିଳିଲା ନାହିଁ । ପରିବାରର ଆର୍ଥିକ ସ୍ଥିତି ମଧ୍ୟ କିଛି ଠିକ୍ ନଥିଲା । ଆସିଫଙ୍କ ବାପା ପେଶାରେ ଥିଲେ ଜଣେ ଶ୍ରମିକ । ପରିବାର ପ୍ରତିପୋଷଣରେ ସମସ୍ୟା ହେବାରୁ ଶେଷରେ ଭିନ୍ନ ରାସ୍ତା ବାଛିନେଲେ ଆସିଫ୍ । ପରିବାରର ବୋଝ ଯେତିକି ବଢ଼ିଲା ଖେଳପ୍ରତି ଆତ୍ମୀୟତା ସେତିକି କମିଲା । ଆଉ ଖେଳିବା ପରିବର୍ତ୍ତେ ଚଷମା ମରାମତି କଲେ ଏହି ଫୁଟବଲ ଖେଳାଳି । ଶେଷରେ ମହାମାରୀ କରୋନା ମଧ୍ୟ ଦାଉ ସାଜିଲା । ଲକଡାଉନ ପାଇଁ ପରିସ୍ଥିତି ଅଧିକ ଶୋଚନୀୟ ହୋଇପଡ଼ିଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖେଳିବାର ଇଛା ଥିଲେ ମଧ୍ୟ ଆର୍ଥିକ ସ୍ଥିତି ତାଙ୍କୁ ବାଧ୍ୟ କରିଛି ନିଜ ସ୍ୱପ୍ନରୁ ଦୂରେଇ ରହିବା ପାଇଁ ।

Latest Posts

Don't Miss