ପବଜି ଖେଳୁ ଖେଳୁ ମାଆ ଆକାଉଣ୍ଟରୁ ଝିଅ ଖାଲି କରିଦେଲା ୧୦ ଲକ୍ଷ
ମୁମ୍ବାଇ: ନିଶା ପାଲଟୁଛି ଅନଲାଇନ୍ ଗେମ୍ । ବିଶେଷକରି କୋମଳମତି ବାଳକ ବାଳିକା ଏହାଦ୍ୱାରା ବେଶି ପ୍ରଭାବିତ ହେଉଛନ୍ତି । ପିଲା ପାଠପଢ଼ା ଛାଡ଼ି ଅନଲାଇନ୍ ଖେଳରେ ଏତେ ମଜି ଯାଉଛନ୍ତି ଯେ ଅଭିଭାବକ ଆକଟ କଲେ ଖରାପ ଲାଗୁଛି । ଆଉ କିଛି ମାନସିକ ଭାରସାମ୍ୟ ହରାଇ ଅନ୍ୟ କିଛି କାଣ୍ଡ କରି ପକାଉଛନ୍ତି ।
ସେହିଭଳି ଏକ ଘଟଣା ଆସିଛି ମାୟାନଗରୀ ମୁମ୍ବାଇରୁ । ଯେଉଁଠି ଜଣେ ୧୦ ବର୍ଷୀୟା ନାବାଳିକା ପବଜି ଖେଳୁ ଖେଳୁ ମାଆ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ଡିସିପିଙ୍କ ଅନୁସାରେ, ନାବାଳିକା ଜଣଙ୍କ ଗେମରେ ଆଗାମୀ ପର୍ଯ୍ୟାୟକୁ ଯିବା ପାଇଁ କେତେକ ଟୁଲ୍ କିଣିଥିଲେ । ଏଭଳି ମାଆଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା କଟି ଯାଇଥିଲା ।
ଯେତେବେଳେ ମାଆ ଏ କଥା ଜାଣିଲେ ତ ଝିଅକୁ ପାଟି କରିଥିଲେ । ମାଆର ପାଟି କରିବା ଝିଅଟିକୁ ଖରାପ ଲାଗିଥିଲା ଏବଂ ସେ ଘର ଛାଡ଼ି ଚାଲି ଯାଇଥିଲା । ଏଥିସହ ଘରେ ଝିଅଟି ଏକ ଚିଠି ଛାଡ଼ି ଯାଇଥିଲା । ଯେଉଁଥିରେ ଲେଖାଥିଲା ଘରକୁ ଆଉ କେବେ ଫେରିବିନି । ମାଆ କାମରୁ ସନ୍ଧ୍ୟାରେ ଫେରିବା ପରେ ଚିଠି ପଢ଼ି ଡରି ଯାଇଥିଲେ । ଏହାପରେ ମାଆ ଯାଇ ପୋଲିସରେ ଝିଅ ନିଖୋଜ ନେଇ ଏତଲା ଦେଇଥିଲେ ।
ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କ୍ରାଇମବ୍ରାଞ୍ଚ ମଧ୍ୟ ଘଟଣାର ତଦନ୍ତ କରିଥିଲା । ୨୪ ଘଣ୍ଟା ପରେ ପୋଲିସ ଅନ୍ଧେରିର ଏକ ମନ୍ଦିର ନିକଟରୁ ଛୁଆକୁ ଠାବ କରିବାରେ ସକ୍ଷମ ହୋଇଛି । ପରେ ଝିଅଟିକୁ ବୁଝାସୁଝା କରି ପୋଲିସ ପରିବାରକୁ ହସ୍ତାନ୍ତର କରିଛି ।