ନାରାୟଣ Vs ଉଦ୍ଧବ: ବିଜେପି ନେତାଙ୍କ ଘର ଆଗରେ ଶିବ ସୈନିକଙ୍କ ହଙ୍ଗାମା, ରାଣେଙ୍କୁ କହିଲେ କୁକୁଡ଼ା ଚୋର

1 min read

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବାକୁ କହି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । କୋଙ୍କଣ ଅଞ୍ଚଳରେ ଜନୌଷଧି ରାଲିରେ ଯୋଗ ଦେବା ଅବସରରେ ରାଣେ ଏହା କହିବା ପରେ ଆରମ୍ଭ ହୋଇଛି ବିବାଦ । ରାଣେ କହିଥିଲେ- ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ୱାଧୀନତାର ବର୍ଷ ଜାଣନ୍ତି ନାହିଁ । ଠାକରେ ଭାଷଣ ଦେବା ବେଳେ ଏହି ବିଷୟ ଜାଣିବା ଉଚିତ । ଯଦି ଏହି ଅବସରରେ ସେଠାରେ ନିଜେ ଉପସ୍ଥିତ ଥାନ୍ତେ ତେବେ ଠାକରେଙ୍କୁ ସେ ଚାପୁଡା ମାରିଥାନ୍ତେ ବୋଲି କହିଛନ୍ତି ରାଣେ । ରାଣେ ଏହା କହିବା ପରେ ଶିବସେନା କର୍ମୀ ଉତକ୍ଷିପ୍ତ ହୋଇଛନ୍ତି । ନାରାୟଣ ରାଣେଙ୍କ ଏହି ବିବାଦୀୟ ବାୟାନ ପରେ ଶିବସେନାର କର୍ମୀମାନେ ବିଭିନ୍ନ ଜାଗାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଦାଦର ଅଞ୍ଚଳରେ ରାଣେଙ୍କ ବିରୋଧରେ ପୋଷ୍ଟର ଲଗାଇଛନ୍ତି ଶିବସେନା କର୍ମୀ । ପୋଷ୍ଟରରେ ନାରାୟଣ ରାଣେଙ୍କ ଫଟୋ ସହ ତାଙ୍କୁ କୁକୁଡ଼ା ଚୋର ବୋଲି ଲେଖାଯାଇଛି । ପ୍ରତିବାଦରେ ନାସିକ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରକୁ ଶିବସେନା କର୍ମୀ ଟେକାପଥରମାଡ଼ କରିଛନ୍ତି ।

 

ରାଣେଙ୍କ ବିରୋଧରେ ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ ହୋଇଛି । ପୁଣେ, ନାସିକ, ମହାଦ ଓ ରାଇଗଡ ଜିଲ୍ଲାରେ ଏସବୁ ମାମଲା ରୁଜୁ ହୋଇଛି । ଶିବସେନା କର୍ମୀମାନେ ରାଣେଙ୍କୁ ମନ୍ତ୍ରୀପଦରୁ ହଟାଇବା ପାଇଁ ଦାବି କରିଛନ୍ତି ଏହି ପ୍ରସଙ୍ଗକୁ ନେଇ ମୁମ୍ବାଇରେ ବିଜେପି- ଶିବସେନା କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

 

ନାରାୟଣ ରାଣେଙ୍କ ଘର ଆଗରେ ଶିବସେନା କର୍ମୀମାନେ ବିରୋଧ ଜାରି ରଖିଥିବା ସୂଚନା ରହିଛି । ତେବେ ନାରାୟଣ ରାଣେଙ୍କ ପୁଅ ନିତେଶ ରାଣେ ଲେଖିଛନ୍ତି ଯେ, ‘ ସୂଚନା ରହିଛି ଯେ, ଯୁବସେନାର ସଦସ୍ୟ ମାନଙ୍କୁ ଆମ ଜୁହୁ ସ୍ଥିତ ଘର ସାମ୍ନାରେ ଏକାଠି ହେବାକୁ କୁହାଯାଇଛି । ତେଣୁ ମୁମ୍ବାଇ ପୋଲିସକୁ ଅନୁରୋଧ, ତାଙ୍କୁ ସେଠାକୁ ଯିବାକୁ ମନା କରନ୍ତୁ, ନଚେତ ସେଠାରେ ଯାହା ବି ପରିସ୍ଥିତି ହେବ, ସେଥିପାଇଁ ଆମେ ଦାୟି ରହିବୁ ନାହିଁ । ନିତେଶ ରାଣେ କହିଛନ୍ତି ଯେ, ସିଂହ ଗୁମ୍ଫାକୁ ଯିବାକୁ ସାହସ କରନ୍ତୁ ନାହିଁ ।’

ଅନ୍ୟପକ୍ଷରେ ଉଦ୍ଧବଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର ପାଇଁ ରାଣେଙ୍କ ବିରୋଧରେ ମୁମ୍ବାଇରେ ଅନେକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଏହାପରେ ରାଣେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ମୋ ବିରୋଧରେ FIR ହୋଇଥିବା ମୁଁ ଜାଣିନାହିଁ । ମୁଁ ଜଣେ ସାଧାରଣ ବ୍ୟକ୍ତି ନୁହେଁ । ମୁଁ କୌଣସି ଅପରାଧ କରି ନାହିଁ। ଯଦି କେହି ଅଗଷ୍ଟ ୧୫ ବିଷୟରେ ଜାଣିନାହାନ୍ତି, ତେବେ ଏହା ଅପରାଧ ନୁହେଁ କି? ମୁଁ କହିଲି ମୁଁ ଚାପୁଡ଼ା ମାରିବି – ଏହି ଶବ୍ଦଗୁଡ଼ିକ ମୋର ଏବଂ ଏହା ଅପରାଧ ନୁହେଁ।

Leave a Reply