ଆଫଗାନିସ୍ତାନରେ ଆରମ୍ଭ ହେଲା ତାଲିବାନ ରାଜ, ଗନି ଦେଲେ ଇସ୍ତଫା

1 min read

କାବୁଲ: ଶେଷରେ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ତାଲିବାନର ପ୍ରଚଣ୍ଡ ଆକ୍ରମଣ ଓ ଭୟ ଆଗରେ ହାର ମାନିଛି ଆଫଗାନୀ ସେନା । ୧୪ ତାରିଖ ଦିନ ଜାବୁଲ, ଜଲାଲାବାଦ ଓ ମଜାର-ଏ-ସରିଫର ପତନ ପରେ ରବିବାର ଦିନ କାବୁଲର ପତନ ହୋଇଛି। କାବୁଲ ଦୁଆର ମୁହଁରେ ତାଲିବାନୀ ସେନା ପହଂଚିବା ସହିତ ଆଫଗାନିସ୍ତାନର ଗଣତାନ୍ତ୍ରିକ ସରକାରର ପତନର ଅବଗଣନା ଆରମ୍ଭ ହୋଇଛି। ସରକାରୀ ଭାବେ କିଛି କୁହାଯାଉନଥିଲେ ମଧ୍ୟ ମିଡିଆ ରିପୋର୍ଟ ଅନୁସାରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗନି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆଉ କେଇ ଘଣ୍ଟା ମଧ୍ୟରେ ଏନେଇ ଆନୁଷ୍ଠାନିକ ଘୋଷଣା ହେବ।

ରବିବାର ସକାଳୁ ସକାଳୁ ତାଲିବାନ କାବୁଲ ଦ୍ୱାରଦେଶରେ ପହଞ୍ଚିଥିଲା। କିନ୍ତୁ ତାଲିବାନ କାବୁଲ ମଧ୍ୟକୁ ପ୍ରବେଶ କରିନଥିଲା। ତାଲିବାନ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରଣ ଚାହେଁ ବୋଲି ଏହାର ମୁଖପାତ୍ର କହିଥିଲେ । ଦି’ପହର ସୁଧା ଆସୁଥିବା ଖବର ଅନୁସାରେ ତାଲିବାନର ନମ୍ବର ଦୁଇ ମୁଲ୍ଲା ବରଦାର ରାଷ୍ଟ୍ରପତି ଅଶରଫ ଗନିଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଗନି ଆଲୋଚନା ପରେ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି । ସେ ଅଲ୍ଲୀ ଅହମ୍ମଦ ଜଲାଲିଙ୍କୁ କ୍ଷମତା ହସ୍ତାନ୍ତର କରିବେ ବୋଲି ଶୁଣିବାକୁ ମିଳୁଛି । ଖବର ସରବରାହ ସଂସ୍ଥା ଆସୋସିଏଟେଡ୍ ପ୍ରେସ୍ ଅନୁସାରେ ରାଷ୍ଟ୍ରପତି ଗନି ତାଲିବାନକୁ ସରକାରରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ । ତେବେ ତାଲିବାନ ଏହାକୁ ପ୍ରତ୍ୟାଖାନ କରିଦେଇଥିଲା ।
ଜାଲାଲି ହେବେ ଅନ୍ତରୀଣ ରାଷ୍ଟ୍ରପତି।

ଆଫଗାନ ମିଡିଆ ଅନୁସାରେ ଜଲାଲି ଦେଶର ମଧ୍ୟବର୍ତ୍ତିକାଳୀନ ରାଷ୍ଟ୍ରପତି ହେବେ । ଜଲାଲି ପୂର୍ବରୁ ଜର୍ମାନୀରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଥିଲେ । ତାଲିବାନ ନେତା ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପୂର୍ବରୁ ଦେଶର ଗୃହମନ୍ତ୍ରୀ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରଣ କଥା କହିଥିଲେ । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ରାଷ୍ଟ୍ରପତି ଗନି ମିଳିମିଶି ଶାସନ କରିବାକୁ ତାଲିବାନକୁ ପ୍ରସ୍ତାବ ଦେଇ ଆସୁଥିଲେ ।

ସରକାରୀ ସୈନିକଙ୍କୁ ତାଲିବାନର କ୍ଷମାଦାନ
ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ୍ ପ୍ରେସ୍ ଅନୁସାରେ ତାଲିବାନ ଯୋଦ୍ଧା ରାଜଧାନୀକୁ ଚାରିପଟୁ ଘେରି ସାରିଛନ୍ତି । ସେମାନେ ଧିରେ ଧିରେ ଆଗକୁ ବଢୁଛନ୍ତି । ତାଲିବାନ ଶାନ୍ତିପୂର୍ଣ୍ଣ ଭାବେ ରାଜଧାନୀ ଦଖଲ କଥା କହୁଛି । ଏହା ସହିତ ନାଗରିକଙ୍କୁ କୌଣସି ପ୍ରକାରର କ୍ଷତି ପହଞ୍ଚା ଯିବ ନାହିଁ ବୋଲି କହିଛି ।

ଏପି ଅନୁସାରେ ତାଲିବାନ ତା’ର ଯୋଦ୍ଧାଙ୍କୁ ସହର ବାହାରେ ଆଗାମୀ ଆଦେଶ ମିଳିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛି ।
କାବୁଲ ଗେଟ୍ ବାହାରେ ଅପେକ୍ଷା

ତାଲିବାନ ଯୋଦ୍ଧା କାବୁଲର ଦ୍ୱାର ବାହାରେ ଆଗାମୀ ଆଦେଶକୁ ଅପେକ୍ଷା କରୁଛନ୍ତି । ଆଦେଶ ମିଳିବା ମାତ୍ରେ ସେମାନେ ସହର ମଧ୍ୟକୁ ପ୍ରବେଶ କରିବେ । ଅନ୍ୟପକ୍ଷରେ ବ୍ଲୁମବର୍ଗର ରିପୋର୍ଟ ଅନୁସାରେ କାବୁଲ ଉପରେ ନିଜ ନିୟନ୍ତ୍ରଣ କଥା ଦାବି କରିଛି ରାଷ୍ଟ୍ରପତି ଅଶରଫ ଗନିଙ୍କ ସରକାର । ରାଷ୍ଟ୍ରପତି ଭବନ ତରଫରୁ ଲୋକଙ୍କୁ ଚିନ୍ତା ନକରିବାକୁ କୁହାଯାଇଛି ।

ଉତ୍ତର ଦେବୁ ନାହିଁ
ମିଡିଆ ରିପୋର୍ଟ ଅନୁସାରେ ତାଲିବାନ ନାଗରିକଙ୍କ ସୁରକ୍ଷା କଥା କହିଛି । କୌଣସି ନାଗରିକଙ୍କ ଉପରେ ଆକ୍ରମଣ ହେବ ନାହିଁ,ଏପରିକି ସରକାରି ସୈନିକଙ୍କ ଉପରେ ମଧ୍ୟ ଆକ୍ରମଣ ହେବ ନାହିଁ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି । ତାଲିବାନ ସୈନିକଙ୍କୁ କ୍ଷମାଦାନ କଥା ମଧ୍ୟ କହିଛି । ଏହା ସହିତ ତାଲିବାନ ବେସାମରିକ ନାଗରିକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛି.

ଆମେରିକା-ବ୍ରିଟିଶ ସୈନିକ ନାରାଜ
ତାଲିବାନ କାବୁଲ ଦ୍ୱାରଦେଶରେ ପହଂଚିବା ସହିତ ବ୍ରିଟିଶ ଓ ଆମେରିକା ସୈନିକଙ୍କ ଅସନ୍ତୋଷ ସାମ୍ନାକୁ ଆସିଛି । ଯେଉଁଭଳି ଭାବେ କାବୁଲକୁ ତାଲିବାନ ହାତରେ ଟେକି ଦିଆଯାଉଛି ତାକୁ ପ୍ରଶ୍ନ କରୁଛନ୍ତି ଏହି ଦୁଇ ଦେଶର ସୈନିକ । ସେମାନଙ୍କ ଅନୁସାରେ ଯଦି ଏଭଳି କରିବାର ଥିଲା ତେବେ ଏତେ ବର୍ଷ ପାଇଁ ଏତେ ସୈନିକଙ୍କ ବଳିଦାନ କାହିଁକି ଦିଆଗଲା ।

Leave a Reply