ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବା ନେଇ କ୍ଷମତା ପାଇବ ରାଜ୍ୟ: ବିଲ୍କୁ ମିଳିଛି ବିରୋଧୀଙ୍କ ସମର୍ଥନ
ନୂଆଦିଲ୍ଲୀ: ରାଜ୍ୟ ହାତକୁ ଆସିବ ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବା କ୍ଷମତା । ଲୋକସଭାରେ ଆଗତ ହୋଇଛି ଓବିସି ବିଲ୍ । ୭ ରାଜ୍ୟର ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଓବିସି ବିଲ୍ ଗୃହୀତ କରିବା ଲାଗି ଜୋରଦାର କସରତ ଚାଲିଛି। ପେଗାସସ ମାମଲାରେ ସରକାରଙ୍କୁ ବିରୋଧ କରୁଥିବା ବିରୋଧୀ ଓବିସି ବିଲକୁ କିନ୍ତୁ ସମର୍ଥନ କରିଛନ୍ତି ।
କେନ୍ଦ୍ର କରୁଥିଲା ଏଣିକି ରାଜ୍ୟ କରିବ । ରାଜ୍ୟ ହାତକୁ ଆସିବ ପଛୁଆ ବର୍ଗଙ୍କ ତାଲିକା ପ୍ରସ୍ତୁତ କରିବା କ୍ଷମତା । ସଂସଦ ଅଧିବେଶନର ଶେଷ ପର୍ଯ୍ୟାୟରେ ବିଲ୍ ପାଇଁ କସରତ । ଆଗକୁ ୭ ରାଜ୍ୟ ନିର୍ବାଚନ ଓ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଲ୍କୁ ସମର୍ଥନ କରିଛନ୍ତି ୧୫ ବିରୋଧୀ ଦଳ । ମରାଠାଙ୍କ ଲାଗି ସଂରକ୍ଷଣ ସୁବିଧା ସୁପ୍ରିମକୋର୍ଟରେ ଖାରଜ ପରେ ବିଲ୍ ଆଣିବାକୁ ତତ୍ପର ହୋଇଥିଲା କେନ୍ଦ୍ର । ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଲେ ରାଜ୍ୟମାନେ ତିଆରି କରିବେ ଓବିସି ତାଲିକା । ୧୦୨ତମ ସମ୍ବିଧାନ ସଂଶୋଧନ ଯୋଗୁ ଓବିସି ତାଲିକା ପ୍ରସ୍ତୁତ କରିବା କ୍ଷମତା ରାଜ୍ୟ ହାତରୁ ଚାଲିଯାଇଥିଲା । ଯଦି ରାଜ୍ୟଗୁଡିକର ତାଲିକା କରିବା କ୍ଷମତା ରହିବ ନାହିଁ ତେବେ ଦେଶରେ ୬୭୧ ଓବିସି ଜାତି ଏହି ସୁବିଧାରୁ ବଞ୍ଚିତ ହେବେ । ସେପଟେ ବିଲକୁ ସମର୍ଥନ କରିଛି ବିଜେଡି । ହେଲେ ରାଜ୍ୟ ତାର ସ୍ୱତନ୍ତ୍ର ପଛୁଆ ବର୍ଗଙ୍କ ଗଣନା କରିବ ବୋଲି ବିଜେଡି କହିଛି ।
ତେବେ ଓବିସି ସଂରକ୍ଷଣରୁ ୫୦ ପ୍ରତିଶତ ସୀମାକୁ ହଟାଇବା ଲାଗି ଦାବି କରିଛି କଂଗ୍ରେସ । ଦଳ କହିଛି ସଂରକ୍ଷଣ ସୀମା ୫୦ପ୍ରତିଶତ ହଟାଇଲେ ରାଜ୍ୟ ବିଶେଷ ଲାଭବାନ ହେବ । ତେଣେ କଂଗ୍ରେସ ଏହି ଦାବିକୁ ଅଧିକ ଜୋର ଦେଲେ ଏହାକୁ ଅଣଦେଖା କରିବ ନାହିଁ ବିଜେପି ।