ଅନାଥଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭରଣପୋଷଣ ପାଇଁ ମିଳିବ ମାସିକ ୨୫୦୦ ଟଙ୍କା

1 min read

ଭୁବନେଶ୍ୱର:ପିତୃ ଦିବସରେ ନବୀନଙ୍କ ‘ଆଶୀର୍ବାଦ’ । ଅନାଥ, ଅସହାୟ ଶିଶୁଙ୍କ ପାଇଁ ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏହି ଯୋଜନାରେ ଅନାଥ ଶିଶୁଙ୍କୁ ମିଳିବ ମାସିକ ୨୫ଶହ ଟଙ୍କା । ବାପା କିମ୍ବା ମାଆ ଜଣକୁ ହରାଇଥିଲେ ମାସିକ ୧୫ଶହ ଟଙ୍କା ମିଳିବ । ପିଲାଙ୍କୁ ୧୮ ବର୍ଷ ହେବା ଯାଏଁ ରାଜ୍ୟ ସରକାର ସହାୟତା ଦେବେ ।

୨୦୨୦ ଏପ୍ରିଲ ପହିଲା ବା ତା’ ପରେ ଉଭୟ ବାପାମାଆ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ଶିଶୁଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପିଲାଙ୍କ ଶିକ୍ଷା, ଦୀକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି । ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ମଧ୍ୟ ପାଇପାରିବେ । ସ୍ୱାସ୍ଥ୍ୟ ବୀମା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମଧ୍ୟ ସୁବିଧା ମିଳିବ । ସେହିଭଳି ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ଏହି ପିଲା । ଆଦର୍ଶ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବା ପାଇଁ ସାହାଯ୍ୟ କରାଯିବ । ଶିକ୍ଷା ଅଧିକାର ଆଇନରେ ଜିଲ୍ଲାପାଳ ସହଯୋଗ ଯୋଗାଇଦେବେ । ଉଚ୍ଚଶିକ୍ଷା ପାଇଁ ଗ୍ରୀନ ପାସେଜ ଯୋଜନାରେ ସହଯୋଗ ମିଳିବ । ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କୁ ମିଳିପାରିବ ବାସଗୃହ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କାଘର ମଧ୍ୟ ମିଳିବ । ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ନିଆଯିବ ପଦକ୍ଷେପ । ପିଲାର ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହିବେ ସରକାର । ବିଜୁ ଶିଶୁ ସୁରକ୍ଷା ଯୋଜନା ଓ JJFରୁ ମିଳିବ ସହାୟତା । ଜଣେ ବି ଅସହାୟ ଶିଶୁକୁ ବାଦ୍ ନଦେବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି ।

Leave a Reply