କୋରନା ପରୀକ୍ଷା କରିବାକୁ ଆସିଥିବା ଡାକ୍ତରୀ ଦଳଙ୍କୁ ଠେଙ୍ଗା ବାଡ଼ି ଧରି ଗୋଡାଇଲେ ଗ୍ରାମବାସୀ
ବାରବାଙ୍କି: କରୋନ ପରୀକ୍ଷା କରିବାକୁ ଆସି ହଟହଟା ହେଲେ ଡାକ୍ତରୀ ଦଳ । ଠେଙ୍ଗା ବାଡ଼ି ଧରି ଗୋଡ଼ାଇଲେ ଗ୍ରାମବାସୀ । ଅଳ୍ପକେ ବଞ୍ଚିଗଲେ ଡାକ୍ତରୀ ଦଳ । ଘଟଣାଟି ହେଉଛି ଉତ୍ତରପ୍ରଦେଶର ବାରବାଙ୍କି ରେବତୀପୁର ଗାଁର, ଯେଉଁଠାରେ କରୋନା ପରୀକ୍ଷା କରିବାକୁ ଆସିଥିବା ଡାକ୍ତରୀ ଦଳଙ୍କୁ ଆକ୍ରମଣ କରିଛନ୍ତି ଗ୍ରାମବାସୀ ।
ଡାକ୍ତରୀ ଦଳର ସଦସ୍ୟମାନେ କୌଣସି ପ୍ରକାରେ ସେମାନଙ୍କ ଜୀବନ ରକ୍ଷା କରି ଘଟଣାସ୍ଥଳରୁ ଖସି ପଳାଇଛନ୍ତି । କରୋନା ଯାଞ୍ଚକୁ ନେଇ ଗାଁ ଲୋକଙ୍କ ଯୁକ୍ତି କରିବା ପରେ ଏଭଳି ପରିସ୍ଥିତି ଉପୁଜିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଡାକ୍ତରୀ ଦଳ ଗାଁର ବଂସୀଲାଲ ନାମକ ବ୍ୟକ୍ତିଙ୍କ ଦୋକାନରେ ରାସନ ନେଉଥିବା ଲୋକଙ୍କ କରୋନା ପରୀକ୍ଷା କରୁଥିଲେ। କିଛି ଲୋକ ସହମତିରେ ନିଜର କରୋନା ପରୀକ୍ଷା ମଧ୍ୟ କରାଉଥିଲେ । କିନ୍ତୁ କିଛି ସମୟ ପରେ ଅନ୍ୟ କିଛି ଗ୍ରାମବାସୀ ଯେତେବେଳେ ରାସନ ନେବାକୁ ଆସିଥିଲେ, ସେମାନେ କରୋନା ପରୀକ୍ଷା କରାଇବାକୁ ମନା କରିଦେଇଥିଲେ । ଏହାପରେ ଦୋକାନୀ ପରୀକ୍ଷା ପରେ ରାସନ ଦେବାକୁ କହିଥିଲେ । ଦୋକାନୀଙ୍କ ଏମିତି କହିବା ମାତ୍ରେ ମାମଲା ଆହୁରି ବିଗିଡ଼ି ଯାଇଥିଲା । ଏବଂ ଏହା ଶୁଣିବା ପରେ ଗ୍ରାମବାସୀ ରାଜି ହୋଇନଥିଲେ। ମହିଳା ଏବଂ ଅନ୍ୟ କିଛି ଲୋକ କରୋନା ପରୀକ୍ଷା କରିବାକୁ ମନା କରିଦେଇଥିଲେ ହେଁ ଡାକ୍ତରୀ ଦଳର କିଛି ସଦସ୍ୟ ଏହି ପରୀକ୍ଷା କରିବାକୁ ବାଧ୍ୟ କରିଥିଲେ ଏବଂଯାହା ପରେ ଉତ୍ତେଜନା ଆରମ୍ଭ ହୋଇଯାଇଥିଲା ।
ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଗ୍ରାମବାସୀ ଠେଙ୍ଗା ବାଡ଼ି ଧରି ଉତ୍ତେଜନା କରୁଥିବାର ଦେଖାଯାଇଛି । ଗ୍ରାମବାସୀଙ୍କୁ ଦେଖି ସ୍ୱାସ୍ଥ୍ୟ କର୍ମୀମାନେ ସେଠାରୁ ଆସି ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।
ଏହି ମାମଲା ଯାଞ୍ଚ କରି ପୋଲିସ ଅଭିଯୋଗ ଆଧାରରେ ପାଞ୍ଚ ଜଣଙ୍କ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ତେବେ ଏହାପୂର୍ବରୁ ବାରବାଙ୍କିରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ସ୍ୱାସ୍ଥ୍ୟ ବିଭାଗ ଏକ ଦଳ ଗ୍ରାମବାସୀଙ୍କୁ କରୋନା ଟିକା ଦେବାକୁ ଯାଇଥିଲେ ଏବଂ ଟିକା ଭୟରେ ଅଧିକାଂଶ ଗ୍ରାମବାସୀ ନଦୀକୁ ଡେଇଁ ପଡିଥିଲେ।