spot_img

Latest Posts

ଆଉ ନାହାନ୍ତି ବସନ୍ତ ଦାସ

ଭୁବନେଶ୍ୱର: ମିଛ ଭଳି ଲାଗୁଛି। ଜୀବନର ଅଶି ଦଶକରେ ପାଦ ଦେଇଥିବା ସଦା ଚଳ ଚଞ୍ଚଳ ବସନ୍ତ ଦାସ ଆଉ ନାହାନ୍ତି। କିଛିଦିନ ତଳେ ସେ କହୁଥିଲେ ତାଙ୍କ ନୂଆ ବହିଟି ପ୍ରସ୍ତୁତ ହୋଇ ସାରିଛି। ଏ କରୋନା ସମୟର କଟକଣା ଉଠିଲା ପରେ ତାହାକୁ ଉନ୍ମୋଚନ କରିବା। ଓଡ଼ିଶା ରାଜନୀତିର ଅନେକ ଗୋପନ କଥା ସେଥିରେ ରହିଛି, ଯାହା ପରବର୍ତ୍ତୀ ପିଢ଼ି ପାଇଁ ଜାଣିବା ନିହାତି ଦରକାର। ତା’ଛଡ଼ା ସାମ୍ବାଦିକତାକୁ ଆସୁଥିବା ନୂଆ ପିଢ଼ି ପାଇଁ ଏହା ବେଶ୍ ଉପାଦେୟ ହେବ। କିନ୍ତୁ । ଏସବୁ ମଣିଷ ବିଚାର, କେବଳ ବିଚାରରେ ହିଁ ରହିଗଲା। ବିଧାତା ତାଙ୍କୁ ଅଲଗା କରି ନେଲା ଏମିତି ଏକ ରାଇଜକୁ ଯେଉଁଠୁ ସେ ଆଉ ଫେରି ଆସିବେ ନାହିଁ।
ପୁଅ ଚନ୍ଦନଙ୍କ ସୂଚନା ଅନୁସାରେ ବସନ୍ତବାବୁ ଗଲା ତିନି ଦିନ ହେବ ହସ୍ପିଟାଲ୍କୁ ଯାଇଥିଲେ। ଏହା ପୂର୍ବରୁ ଘରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ହେଉଥିଲେ, ପ୍ରାୟ ୧୦ ଦିନ ହେବ। କାଲି ରାତି ଏଗାରଟାରେ ହସ୍ପିଟାଲ୍ ପକ୍ଷରୁ ସୂଚନା ଆସିଲା ସେ ଆଉ ନାହାନ୍ତି। ଅଦୃଶ୍ୟ ମହାମାରୀର ଶିକାର ହୋଇ ତାଙ୍କ ପ୍ରାଣ ଚାଲି ଯାଇଛି।
ଏହି ପ୍ରଖ୍ୟାତ ସାମ୍ବାଦିକଙ୍କ ଜନ୍ମ ହୁଏ ୧୯୪୦ ମସିହା ଜାନୁୟାରୀ ୨ ତାରିଖରେ। ସେତେବେଳର କଟକ ଜିଲ୍ଲା ବିରିଡ଼ି ଅନ୍ତର୍ଗତ ମଇନ୍ଦପୁର ଗାଁରେ ତାଙ୍କର ଜନ୍ମ ହୋଇଥିଲା। ବାପା ସ୍ବାଧୀନତା ସଂଗ୍ରାମୀ ଥିଲେ। କିନ୍ତୁ ତାଙ୍କ ପିଲାଦିନ ଅନେକ ବାଧାବିଘ୍ନରେ କଟିଥିଲା। ନିଜ ଗୋଡ଼ରେ ଠିଆ ହେବା ସେ ପିଲାଦିନରୁ ହିଁ ଶିଖିଥିଲେ। ଆଉ ସେଇ ଶିକ୍ଷା ତାଙ୍କୁ ତାଙ୍କ କର୍ମମୟ ଜୀବନରେ ବଢ଼ାଇଥିଲା ଆଗକୁ ଆଗକୁ।
ଜଣେ ସାମ୍ବାଦିକ ଥିଲେ ମଧ୍ୟ ଖାଲି ନ୍ୟୁଜ୍ କଭର କରିବା ତାଙ୍କର ଲକ୍ଷ୍ୟ ନଥିଲା ବରଂ ଓଡ଼ିଶା ରାଜନୀତିକର କୋଣ ଅନୁକୋଣକୁ ପରଖିବା ଓ ସମୀକରଣଗୁଡ଼ିକୁ ଲୋକଙ୍କ ଦୃଷ୍ଟିରୁ ଦେଖି ତାହାକୁ ପ୍ରକାଶ କରିବାରେ ସେ ସିଦ୍ଧହସ୍ତ ଥିଲେ। ଏକଦା ପରିସ୍ଥିତି ଏପରି ହୋଇଥିଲା ଯେ ତାଙ୍କୁ ଖବର ବାବଦୀୟ ସୂଚନା ଦେବା ଏବଂ ବସନ୍ତଙ୍କ ଲେଖାକୁ ଅପେକ୍ଷା କରିବା ଅନେକ ରାଜନୀତିକ ନେତାଙ୍କର ଏକ ପ୍ରକାର ଦାୟିତ୍ବ ହୋଇଯାଇଥିଲା। ଏପରିକି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ବସନ୍ତଙ୍କ ଅନୁଶୀଳନକୁ ଅପେକ୍ଷା କରୁଥିଲେ। ତାଙ୍କୁ ମର୍ଯ୍ୟାଦା ଦେଉଥିଲେ ଓ ଲେଖାପାଇଁ ସମ୍ମାନ କରୁଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତ୍ତୋକତ୍ତର ହାସଲ କରିବା ପରେ ବସନ୍ତ ୧୯୬୫ ମସିହାରେ ସାମ୍ବାଦିକତାରେ ପାଦ ଦେଇଥିଲେ। ରାଜନୀତି ବିଜ୍ଞାନର ଏହି ଛାତ୍ରଙ୍କ ଆଗରେ ସେତେବେଳେ ଲୋଭନୀୟ ସରକାରୀ ଚାକିରି ପାଇଁ ଦ୍ବାର ଉନ୍ମୁକ୍ତ ଥିଲା। କିନ୍ତୁ ସ୍ବତଃ ସେ ବାଛିଥିଲେ ସାମ୍ବାଦିକତା। ଏ ଭିତରେ ତାଙ୍କୁ ପ୍ରଥମ ଅଫର ମିଳେ ଇଷ୍ଟଣ୍ଣ ଟାଇମ୍ସ ପାଇଁ। ଏହା ୧୯୬୫ ମସିହା କଥା। ସାମୟିକ ସମ୍ବାଦଦାତା ଭାବେ ସେଠାରେ କାର୍ଯ୍ୟ ଆରମ୍ଭ କରିଥିବା ବସନ୍ତ ପରବର୍ତ୍ତୀ ସମୟରେ ଅନେକ ବର୍ଷ କାର୍ଯ୍ୟ କରିଛନ୍ତି। ୧୯୯୬ ମସିହାରେ ଅମୃତ ବଜାର ପତ୍ରିକାର ବ୍ୟୁରୋ ହେଡ୍ ଭାବେ ତାଙ୍କର ଚାକିରି ଜୀବନ ଶେଷ ହୁଏ। କିନ୍ତୁ ସାମ୍ବାଦିକତାକୁ ଉଭୟ ନିଶା ଓ ପେସା ଭାବେ ଧରି ନେଇଥିବା ବସନ୍ତ ଦାସ ବିଭିନ୍ନ ପତ୍ର ପତ୍ରିକା ଓ ଖବରକାଗଜ ପାଇଁ ସ୍ତମ୍ଭ ଲେଖିବା କାର୍ଯ୍ୟରେ ନିୟୋଜିତ ରହନ୍ତି। ଖାଲି ସେତିକି ନୁହେଁ ନିଜର ଅଭିଜ୍ଞତା ଓ ଅନ୍ୟକୁ ଜଣାଇବାର ଆଗ୍ରହରେ ମଜ୍ଜିଥିବା ବସନ୍ତ ଆରମ୍ଭ କରନ୍ତୁ ପୁସ୍ତକ ଲେଖା। ଓଡ଼ିଶା ରାଜନୀତିକର ଗୋପନ କଥା ଏକହିକ୍ରମରେ ତାଙ୍କର ଅଦ୍ବିତୀୟ କୃତି। ଓଡ଼ିଆ ଭାଷାରେ ଲିଖିତ ଏହି ପୁସ୍ତକ ଏବେ ରାଜନୀତି ଓ ରାଜନୀତିକ ସାମ୍ବାଦିକତାକୁ ଆସୁଥିବା ପ୍ରତିଟି ବ୍ୟକ୍ତି ପାଇଁ ପ୍ରଥମ ପାଠ୍ୟପୁସ୍ତକ ଭାବେ ଗଣାଯାଉଛି। ପରବର୍ତ୍ତୀ ସମୟରେ ଏ ପୁସ୍ତକକୁ ଅଧିକ ତଥ୍ୟ ସମ୍ପନ୍ନ କରି ବସନ୍ତ ପ୍ରକାଶ କରିଥିଲେ ଓଡ଼ିଶା ରାଜନୀତି। ଓଡ଼ିଶର ଘଟଣାବହୁଳ ରାଜନୀତିକ ପୃଷ୍ଠଭୂମିକୁ ଏକାଠି କରି ସେ ରଚନା କରିଛନ୍ତି, ଫୁଟ୍ ପ୍ରିଣ୍ଟ୍ସ ଅଫ୍ ଇଭେଣ୍ଟଫୁଲ୍ ଡେଜ୍। ଏହା ବି ଏକ ଗ୍ରହଣୀୟ ପୁସ୍ତକ। ଖାଲି ରାଜନୀତିକ ଇତିହାସର ସମସ୍ତ ତଥ୍ୟ ପାଇଁ ସେ ଗନ୍ତାଘର ଥିଲେ ତା’ ନୁହେଁ, ତାଙ୍କର ସାହିତ୍ୟକୃତି ମଧ୍ୟ ଯଥେଷ୍ଟ ପ୍ରଭାବଶାଳୀ ଥିଲା। ତାଙ୍କ ଭ୍ରମଣକାହାଣୀ ଯେ ଦେଶ ଯାଇ ସେ ଫଳ ଖାଇ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବି ଗ୍ରହଣ କରିଛି।
ଓଡ଼ିଆ ସାମ୍ବାଦିକତା କ୍ଷେତ୍ରକୁ ଆସୁଥିବା ନୂଆ ପିଢ଼ିଙ୍କୁ ଯଥେଷ୍ଟ ଭଲ ପାଉଥିବା ବସନ୍ତ ଦାସ ମିଡିଆ ଏକାଡେମୀ ନାମରେ ଏକ ଅନୁଷ୍ଠାନ ଗଢ଼ିଥିଲେ। ଗଣମାଧ୍ୟମ ବାବଦରେ ଚର୍ଚା କରିବା, ବିଭିନ୍ନ ଲେଖା ପ୍ରକାଶ କରିବା ଏହାର ଉଦ୍ଦେଶ୍ୟ ଥିଲା। ଏହାରି ମାଧ୍ୟମରେ ମଧ୍ୟ ସେ ଅନେକ ପୁସ୍ତକ ପ୍ରକାଶ କରିଛନ୍ତି। ୨୦୧୭ ମସିହାରେ ତାଙ୍କ ରଚିତ ‘ସଡ଼ିଶା ରାଜନୀତି’ ଏହି ଅନୁଷ୍ଠାନ ଦ୍ବାରା ପ୍ରକାଶିତ ହୋଇଥିଲା। ସମାନ ଧାରାରେ ଆଉ ଏକ ପୁସ୍ତକ ପାଇଁ ଚେଷ୍ଟା କରୁଥିଲେ ବସନ୍ତ। କିନ୍ତୁ ବହି ପ୍ରକାଶ ପାଇବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି।

Latest Posts

Don't Miss