spot_img

Latest Posts

ମଞ୍ଚରୁ ସମସ୍ତଙ୍କୁ ହସାଉଥିଲେ, ଆଜି କନ୍ଦାଇ ଚାଲିଗଲେ

ଭୁବନେଶ୍ୱର: ଆଉ ନାହାନ୍ତି ଓଡ଼ିଆ ଯାତ୍ରା ଜଗତର ବର୍ଷିଆନ୍‌ ହାସ୍ୟ କଳାକାର ଜଗବନ୍ଧୁ ରାଉତ ଓରଫ ଜଗାବୁଢ଼ା । କରୋନାରେ ତାଙ୍କର ଦେହାନ୍ତ ହୋଇଛି । ଜଗବନ୍ଧୁ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଯାତ୍ରା ଜଗତର ଆଗଧାଡ଼ିର ହାସ୍ୟ କଳାକାର ଭାବେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ ।

ସାତସଙ୍ଖ, କୋଣାର୍କ, କଳିଙ୍ଗ ଗଣନାଟ୍ୟରେ ସେ କାମ କରିଥିଲେ । ଦୀର୍ଘ ୬୨ ବର୍ଷର ଅଭିନୟ ଭିତରେ ଯାତ୍ରା ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି । ସମସ୍ତେ ତାଙ୍କୁ ସ୍ନେହରେ ଜଗା ମଉସା ବୋଲି ଡାକନ୍ତି । ଜିଭ ଆଗରେ ଅସଜଡ଼ା କଥା କହି ହସିହସି ବେଦମ କରାନ୍ତି ଦର୍ଶକଙ୍କୁ । ଲଣ୍ଠନ ଯାତ୍ରାରୁ କ୍ୟାରିଅର ଆରମ୍ଭ କରିଥିବା ଜଗା ପରବର୍ତ୍ତୀ ସମୟରେ ଗୋଟିଏ ପରେ ଗୋଟିଏ ଯାତ୍ରା ଦର୍ଶକଙ୍କୁ ଭେଟି ଦେଇଥିଲେ । ରାଜଧାନୀ ତତେ ଦୂରୁ ଜୁହାର, କହଲୋ ବଉଳ କିଏ ତୋ ବର, ନକହିଲେ କୂଳ ଭାସି ଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜ ଫୁଲ, ବୋହୂ ଆଣିଥିଲି ବେଶ୍ୟା ପଡ଼ାରୁ ଭଳି ବହୁ ଯାତ୍ରା କରି ସେ ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରାଇଛନ୍ତି । ୧୦ ବର୍ଷ ଛୋଟମୋଟ ପାର୍ଟିରେ ଅଭିନୟ କରିବା ପରେ ୧୯୬୮ ମସିହା‌ରେ ସାତଶଙ୍ଖ ଅପେରାକୁ ଆସିଲେ । ୩୫ ବର୍ଷ କାଳ ସାତଶଙ୍ଖ ଅପେରାରେ ନିଜ ହସର ପରଶ ବୁଣି ଚାଲିଥିଲେ । ସମ୍ପ୍ରତି କଳିଙ୍ଗ ଗଣନାଟ୍ୟରେ ଅଭିନୟ କରୁଥିଲେ ।

ଯାତ୍ରା ପାଇଁ ଘର ଛାଡ଼ିଥିବା ଜଗା ଆଜି କରୋନା ପାଇଁ ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଛାଡ଼ି ପରପାରିକୁ ଚାଲିଯାଇଛନ୍ତି । ଜଗବନ୍ଧୁ ରାଉତଙ୍କ ବିୟୋଗ ଯାତ୍ରା ଜଗତ ପ୍ରତି ଅପୂରଣୀୟ କ୍ଷତି ପହଞ୍ଚାଇଛି । କରୋନା ସଂକ୍ରମିତ ହେବା ପରେ ତାଙ୍କୁ ପ୍ରଥମେ ୨୨ ତାରିଖରେ ପୁରୀ କଲରା ହସ୍ପିଟାଲ ଓ ପରେ ୨୫ ତାରିଖ ଦିନ ଭୁବନେଶ୍ୱର ନିଆ ଯାଇଥିଲା । ଆଜି ମୃତ୍ୟୁ ହୋଇଛି । ଜଗାଙ୍କ ଅବର୍ତ୍ତମାନେର ଯାତ୍ରା ଜଗତରେ ଶୋକର ଛାୟା ଖେଳି ଯାଇଛି ।

Latest Posts

Don't Miss