ଗ୍ରୀଷ୍ମକଷ୍ଟରୁ ବଳିଗଲାଣି ଜଳକଷ୍ଟ: ଗାଁ ପୋଖରୀ ପାଲଟିଛି ପାନୀୟ ଜଳର ଉତ୍ସ

ଏପ୍ରିଲ ମାସରେ ଡହଡହ ଖରା । ତାତିରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳକଷ୍ଟ ଲୋକଙ୍କୁ ଅତିଷ୍ଟ କଲାଣି । କଳାହାଣ୍ଡି ଜିଲ୍ଲା ହଳଦୀ ପଞ୍ଚାୟତର ସାଗରପଡା ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ନଳକୂପର ଜଳସ୍ତର କମୁଛି, ଯେଉଁଠାରୁ ପାଣି ବାହାରୁଛି ସେଠାରେ ଫ୍ଲୋରାଇଡ ଯୋଗୁଁ ବଢୁଛି ରୋଗ । ସେପଟେ ଗଞ୍ଜାମ ଜିଲ୍ଲା ଡାକିବଜା ଗୌଡ ସାହିରେ ମଧ୍ୟ ସମାନ ସମସ୍ୟା । ଏଠି ଓଭର ହେଡ୍ ଟାଙ୍କି ଥାଇବି ପାଣିପାଇଁ ଡହଳବିକଳ ଲୋକେ ।

ଚୈତ୍ର ମାସରେ ଜଳକଷ୍ଟ । ଉପରେ ଉତ୍ତାପ, ତଳ ଶୁଖିଲା । ନଳକୂପରୁ ବାହାରୁନି ପାଣି । ଯେଉଁଠାରୁ ବାହାରୁଛି, ତାହା ଫ୍ଲୋରାଇଡ ଯୁକ୍ତ । ଫଳରେ ନାନା  ପ୍ରକାର ଦୂଷିତ ଜଳ ଜନିତ ରୋଗରେ ପୀଡ଼ିତ ଲୋକେ । ଏହି ସମସ୍ୟା ଏବେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାର ହଳଦୀ ପଞ୍ଚାୟତର ସାଗରପଡା ଗାଁ ର । ଏଠାରେ ଥିବା ପ୍ରାୟ ୨୫୦ରୁ ଅଧିକ ଲୋକଙ୍କ ପାଇଁ ରହିଛି ୪ଟି ନଳକୂପ । ହେଲେ ଖରାଦିନେ ଜଳସ୍ତର କମିଯାଉଛି । ଲୋକଙ୍କ ସମସ୍ୟାକୁ ଦେଖି ଏଠାରେ ପ୍ରଶାସନ ନିର୍ମାଣ କରିଥିଲା ସୌରଜଳ ଯୋଗାଣ ପ୍ରକଳ୍ପ । ହେଲେ କିଛି ଦିନ ଚାଲିବା ପରେ ଏହା ଅଚଳ । ଏପରିକି ଷ୍ଟାଣ୍ଡ ପୋଷ୍ଟ ବି ଭାଙ୍ଗି ଗଲାଣି । ସେପଟେ ନିର୍ବାହୀ ଯନ୍ତ୍ରୀଙ୍କ କହିବା କଥା ଗ୍ରୀଷ୍ମ ପାଇଁ ପ୍ରସ୍ତୁତି କରାଯାଉଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।

ସେପଟେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତର ଡାକିବଜା ଗୌଡ ସାହିରେ ମଧ୍ୟ ସମାନ ସମସ୍ୟା । ଗାଁ ମୁଣ୍ଡରେ ରହିଛି ଓଭରହେଡ୍ ଟାଙ୍ଗି । ହେଲେ ଏଥିରୁ ପାଣି ନ ମିଳିବାରୁ ଗାଁ ପୋଖରୀ ପାଲଟିଛି ପାନୀୟ ଜଳର ଉତ୍ସ । ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ମଧ୍ୟ ଘଟଣାକୁ ଗୁରୁତର ସହ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛି ।  ।

Leave a Reply