ସଫଳ ହୋଇଛି ୩୫ ପ୍ରତିଶତ ଜଳସେଚନ ଲକ୍ଷ୍ୟ, ୪୩ ଲକ୍ଷ ହେକ୍ଟର ଜମିକୁ ହୋଇଛି ଜଳସେଚନ

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ବ୍ଲକରେ ଜଳସେଚନ ପ୍ରକଳ୍ପ ସଫଳ ହେଉଛି। ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧୪ଲକ୍ଷ ୮୪ହଜାର ହେକ୍ଟର ବୃହତ ଉଠା ଜଳସେଚନ ପ୍ରକଳ୍ପ, ଏକ ଲକ୍ଷ ୨୫ ହଜାର ହେକ୍ଟର କ୍ଷୁଦ୍ର ଜଳସେଚନ, ୭ଲକ୍ଷ ୩୪ହଜାର ହେକ୍ଟର ଗୋଷ୍ଠୀ ଉଠାଜଳସେଚନ, ୧୨ ଲକ୍ଷ ୫୭ ହଜାର ହେକ୍ଟର ଗଭୀର ନଳକୂପ ଦ୍ବାରା ମୋଟ୍ ୩୫ଲକ୍ଷ ୯୯ ହଜାର ଚାଷ ଜମି ଜଳସେଚିତ ହୋଇଛି। ଗତ ୫ବର୍ଷରେ ମୋଟ ୭ଲକ୍ଷ ୪୩ହଜାର ହେକ୍ଟର ଜଳସେଚିତ ହୋଇଛି।
କେବଳ ସେତିକି ନୁହେଁ, ମୋଟ୍ ୩୧୪ ବ୍ଲକରୁ ୨୫୧ଟିରେ ୩୫ ପ୍ରତିଶତ ଜଳସେଚନ କରାଯାଇଛି। ପ୍ରଶ୍ନକାଳରେ ଜଳସମ୍ପଦ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଜଳସେଚନ ନେଇ ଗୃହରେ ଉଦ୍ବେଗ ପ୍ରକାଶ ପାଇବା ପରେ ବାଚସ୍ପତି ରୁଲିଂ ଦେଇଥିଲେ। ବିଧାନସଭା ସରିବା ପରେ ଦୁଇଟି ଲେଖାଏଁ ଜିଲ୍ଲାର ସଦସ୍ୟ ଓ ଅଧିକାରୀମାନଙ୍କୁ ଡାକି ଜଳସେଚନ ସମ୍ପର୍କରେ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେପଟେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ନେଇ ଗୃହରେ ଆଲୋଚନା ହୋଇଛି। ବିଜେଡି ବିଧାୟକ ପ୍ରଦୀପ ଅମାତ କହିଛନ୍ତି, ସିଡବ୍ଲୁସି ମହାନଦୀ ଅବବାହିକାରେ ହେଉଥିବା ୮ଟି ପ୍ରକଳ୍ପ ଫେରାଇ ଦେଇଛି। ଯାହା ଫଳରେ ଓଡ଼ିଶାରେ ଜଳ ସଂକଟ ଦେଖାଦେଇଛି। ତେଣୁ ଏନେଇ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ପ୍ରଶ୍ନ କରିଥିଲେ। ପୁନର୍ବାର ଏ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ସିଡବ୍ଲୁସି ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ ଗୃହକୁ ଜଣାଇଥିଲେ। ସେପଟେ ମହାନଦୀ ପାଣିକୁ ଛତିଶଗଡ଼ ବ୍ୟବହାର କରିବା ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ।
ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଳ ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୫୧ ମସିହା ସୁଦ୍ଧା ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ ୭୫ ପ୍ରତିଶତ ନିର୍ଭରଯୋଗ୍ୟ ଜଳ ପ୍ରବାହ କରାଯିବାକୁ ଟାର୍ଗେଟ୍ କରାଯାଇଛି।