ଦେଶରେ ଉପରମୁହାଁ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୧୯୭ ସଂକ୍ରମିତ ମୃତ
ନୂଆଦିଲ୍ଲୀ: ଦେଶରେ ଆତଙ୍କ ଖେଳାଇଛି କରୋନାର ଦ୍ୱିତୀୟ ଲହରୀ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୪୩ ହଜାର ୮୪୬ ନୂଆ ସଂକ୍ରମିତ । ସେହିପରି କରୋନାରେ ଯାଇଛି ଆଉ ୧୯୭ ଜୀବନ । ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ୯୯ ହଜାର ୧୩୦ରେ ପହଞ୍ଚିଛି । ସେମଧ୍ୟରୁ ୧ କୋଟି ୧୧ ଲକ୍ଷ ୩୦ ହଜାର ୨୮୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେବି ଦେଶରେ ୩ ଲକ୍ଷ ୯ ହଜାର ୮୭ ସକ୍ରିୟ ମାମଲା ରହିଛି ।
ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୭୫୫ରେ ପହଞ୍ଚିଛି । ଅନ୍ୟପଟେ ଦେଶରେ ଟିକାକରଣ ଜାରି ଥିବା ବେଳେ, ଏବେସୁଦ୍ଧା ୪ କୋଟି ୪୬ ଲକ୍ଷ ୩ ହଜାର ୮୪୧ଙ୍କୁ ଟିକା ଦିଆସରିଛି । ତେବେ ମହାରାଷ୍ଟ୍ର, ପଞ୍ଜାବ, ଗୁଜରାଟ, ମଧ୍ୟ ପ୍ରଦେଶ ଓ ଦିଲ୍ଲୀରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।
ତେବେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଅନ୍ୟରାଜ୍ୟରୁ ଆସୁଥିବା ବସ୍ ଚଳାଚଳ ଉପରେ ରୋକ ଲଗାଇଛନ୍ତି । ସେପଟେ ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର ଓ ଜବଲପୁରରେ ଲକଡାଉନ୍ ଘୋଷଣା କରାଯାଇଛି । ଦିଲ୍ଲୀରେ ମଧ୍ୟ କରୋନା କହର ଦେଖିବାକୁ ମିଳିଛି ।