ହରିୟାଣା ମେଣ୍ଟ ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବ କଂଗ୍ରେସ: କ୍ରସ ଭୋଟିଂ ଭରସା
1 min readହରିୟାଣା: ବିଧାନସଭାରେ ଅଗ୍ନିପରୀକ୍ଷା ଦେବେ ଖଟ୍ଟର ସରକାର । ବିଧାନସଭାରେ କୌଣସି ସମୟରେ ଖଟ୍ଟର ସରକାରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିପାରେ କଂଗ୍ରେସ । ଆଜିଠୁ ଆରମ୍ଭ ହୋଇଛି ହରିୟାଣା ବିଧାନସଭାର ବଜେଟ୍ ଅଧିବେଶନ । BJP-JJP ସରକାର ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବା ପାଇଁ ଘୋଷଣା କରିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ଭୁପେନ୍ଦ୍ର ସିଂ ହୁଡ୍ଡା । ମନହର ଲାଲ ଖଟ୍ଟର ସରକାର ବିରୋଧରେ କିଛି ବିଧାୟକଙ୍କ ଅସନ୍ତୋଷ ରହିଛି । ବିଶେଷକରି କୃଷି ଆଇନକୁ ବିରୋଧ କରି JJP ଓ BJPର ୮ ଜଣ ବିଧାୟକ ସରକାର ବିରୋଧରେ ରହିଛନ୍ତି । ଏଣୁ ଏହି ବିଧାୟକମାନେ କ୍ରସ୍ ଭୋଟ କରିବେ ବୋଲି ଆଶା ରଖିଛନ୍ତି କଂଗ୍ରେସ । ବିଧାନସଭାରେ ୯୦ଟି ଆସନ ମଧ୍ୟରୁ ବିଜେପି ପାଖରେ ୪୦ଜଣ ବିଧାୟକଙ୍କ ସମର୍ଥନ ରହିଛି । JJPର ୧୦ ବିଧାୟକ ଓ କିଛି ସ୍ବାଧୀନ ବିଧାୟକଙ୍କ ସମର୍ଥନ ଥିବାରୁ ଏହି ସଂଖ୍ୟା ୫୫ ରହିଛି । ତେବେ ଫ୍ଲୋର ଟେଷ୍ଟରେ ଜିତିବାକୁ ହେଲେ ୪୫ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । ୮ ବିଧାୟକଙ୍କୁ ବାଦ ଦେବା ପରେ ବି ସରକାର ପାଖରେ ୪୭ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଏଭଳିସ୍ଥଳରେ ବିଜେପି ସରକାର ବଞ୍ଚାଇବାରେ ସଫଳ ହେବ ବୋଲି ନେତାଏ କହିଛନ୍ତି ।