ମିଛ ମାୟାଜାଲ ବୁଣି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ଅପରାଜିତା ଷଡ଼ଙ୍ଗୀ
1 min readଭୁବନେଶ୍ୱର: ମିଛ କହୁଛନ୍ତି ଅପରାଜିତା । ଏନ୍ଏମ୍ର ପ୍ରସ୍ତାବିତ ବାଇ-ଲ’ ନାଁରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଏକାମ୍ରରେ ଅସନ୍ତୋଷ କୁହୁଳୁଥିବା ବେଳେ ମିଛ କୁହେଳିକା ସୃଷ୍ଟି କରୁଛନ୍ତି ଅପରାଜିତା ଷଡ଼ଙ୍ଗୀ । ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ କିଏ ? ଆମ୍ସାର୍ ଆଇନ୍ ଅନୁସାରେ କୋଲକାତାସ୍ଥିତ ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଐତିହ୍ୟ ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ । ହେଲେ ସଂସ୍କୃତି ନିର୍ଦ୍ଦେଶକ କହି- ସମ୍ବେଦନଶୀଳ ପ୍ରସଙ୍ଗକୁ ବିବାଦ ଭିତରକୁ ଠେଲି ଦେଇଛନ୍ତି ଅପରାଜିତା ।
ବାଇ-ଲ’ ନାଁରେ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ପ୍ରୟାସ । କାହିଁକି ସିଧା ପ୍ରଶ୍ନର ଉତ୍ତରରେ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଐତିହ୍ୟ ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ କିଏ ? ସିଧା ପ୍ରଶ୍ନର ବଙ୍କା ଉତ୍ତର ଦେଇ, ରାଜ୍ୟବାସୀଙ୍କ ଆଖିରେ ଧୂଳି ଦେବାକୁ ପ୍ରୟାସ କରୁଛନ୍ତି ଅପରାଜିତା । ପ୍ରସ୍ତାବିତ ବାଇ-ଲ’ ପ୍ରସଙ୍ଗରେ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ପୂରାତନ କିର୍ତ୍ତୀରାଜି ଓ ଐତିହ୍ୟ ସ୍ଥଳୀ (ଆମସାର ଆଇନ) ୧୯୫୮ର ଧାରା ୨୦ ଉପଧାରା (ଇ) ଅନୁସାରେ କୋଲକାତାସ୍ଥିତ ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ହିଁ ଐତିହ୍ୟ ଚିଠା ବାଇ-ଲ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ ।
ଅପରାଜିତାଙ୍କ କଟୁ ସମାଲୋଚନା କରିବାକୁ ଯାଇ ମାନସ ମଙ୍ଗରାଜ କହିଛନ୍ତି, ସେ ତାଙ୍କ ପରି ଆଇଏଏସ୍ ଅଧିକାରୀ ହୋଇନଥିଲେ କିମ୍ବା ବିସ୍ତୃତ ଗବେଷଣା କରିନଥିଲେ ମଧ୍ୟ ଯେକୌଣସି ବ୍ୟକ୍ତି ଆମସାର ଆଇନକୁ ପଢିଲେ ମାତ୍ର ୫ ମିନିଟ୍ ମଧ୍ୟରେ ବୁଝିପାରିବେ ଯେ, ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ହିଁ ବାଇ-ଲ’ ପ୍ରସ୍ତୁତ କରିବାକୁ ଅଧିକୃତ କର୍ତ୍ତୃପକ୍ଷ । ତେବେ ତାଙ୍କ ବିବୃତ୍ତିକୁ ଅପରାଜିତା ବିଭ୍ରାନ୍ତିକର କରିବା ନେଇ ସେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଐତିହ୍ୟ ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ସଂସ୍କୃତି ନିର୍ଦ୍ଦେଶକ ଅଧିକୃତ କର୍ତ୍ତୃପକ୍ଷ ନୁହଁନ୍ତି । କୋଲକାତା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓଡ଼ିଶାର ପୁରାତନ ମନ୍ଦିର ପାଇଁ ଐତିହ୍ୟ ବାଇ-ଲ’ ଚିଠା ପ୍ରସ୍ତାବ ପଠାଇଥିଲେ ।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଓଡ଼ିଆ ସଂସ୍କୃତିକୁ ବୁଝନ୍ତିନାହିଁ । ତେଣୁ ଭକ୍ତ, ଭଗବାନ ଓ ସେବାୟତଙ୍କ ମଧ୍ୟରେ ଥିବା ଭାବଗତ ସମ୍ପର୍କ ଓ ଧାର୍ମିକ ପ୍ରସଙ୍ଗର ସମ୍ବେଦନଶୀଳତାକୁ ବୁଝିପାରୁନାହାଁନ୍ତି । ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓଡ଼ିଆ ହୋଇଥିବାରୁ ପ୍ରସଙ୍ଗର ସମ୍ବେଦନଶୀଳତାକୁ ଅଧିକ ଭଲଭାବେ ବୁଝିଛନ୍ତି ।
ଅନେକ ଦିନ ଧରି ଅପରାଜିତା ପ୍ରଶାସନିକ ଅଧିକାରୀ ଭାବେ କାମ କରିଛନ୍ତି । କିନ୍ତୁ ଆମସାର ଆଇନକୁ ବୋଧହୁଏ ସେ ଠିକ୍ ଭାବେ ପଢିନାହାଁନ୍ତି କିମ୍ବା ଜାଣିଶୁଣି ବିଭ୍ରାନ୍ତ କରୁଛନ୍ତି । ଆମସାର ଆଇନକୁ ସଠିକ ଭାବେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେବା ସହ ଅପରାଜିତାଙ୍କୁ ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ । ଆମସାର ଆଇନ୍ ୧୯୫୮ର ଧାରା ୨୦-ଇ ଅନୁସାରେ ଏକାମ୍ର କ୍ଷେତ୍ରକୁ ପ୍ରଭାବିତ କରିବାକୁ ଯାଉଥିବା ଚିଠା ବାଇ-ଲ’ ପ୍ରସ୍ତାବ ଦେବା ପାଇଁ କିଏ ଅଧିକୃତ କର୍ତ୍ତୃପକ୍ଷ ? ସେନେଇ ଅପରାଜିତା ଉତ୍ତର ଦିଅନ୍ତୁ ବୋଲି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରଶ୍ନ କରିଛନ୍ତି । ମିଛ କହି ଓଡ଼ିଶାବାସୀଙ୍କୁ ଅପରାଜିତା ବୋକା ବନାଇବାକୁ ଚେଷ୍ଟା ନକରନ୍ତୁ ବୋଲି ସେ କହିଛନ୍ତି ।