ପ୍ରଥମ କଥାବାର୍ତ୍ତାରେ ଚୀନ ରାଷ୍ଟ୍ରପତିଙ୍କୁ ବାଇଡେନଙ୍କ କଡ଼ା ସନ୍ଦେଶ
1 min readୱାଶିଂଟନ: ଚୀନକୁ କଡ଼ା ସନ୍ଦେଶ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କାର୍ଯ୍ୟଭାର ସମ୍ଭାଳିବା ପରେ ସି ଜିନପିଙ୍ଗଙ୍କ ସହ ବୁଧବାର ପ୍ରଥମ ଥର କଥା ହୋଇଛନ୍ତି । ବାଇଡେନ୍, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନରେ କଥା ହୋଇଥିବା ବେଳେ ପ୍ରଥମ କଥାବାର୍ତ୍ତାରେ ଜିନପିଙ୍ଗଙ୍କୁ ମାନବାଧିକାର, ବ୍ୟାପାର ଓ ଅନ୍ତଃରାଷ୍ଟ୍ରୀୟ ସୁରକ୍ଷାକୁ ନେଇ କଡ଼ା ସନ୍ଦେଶ ଦେଇଛନ୍ତି ।
ପୂର୍ବରୁ ବାଇଡେନ୍ ୟୁରୋପ ଓ ଏସିଆର ତମାମ୍ ବନ୍ଧୁ ରାଷ୍ଟ୍ରଙ୍କ ସହ ଆଲୋଚନା କରି ସାରିଛନ୍ତି । କେବଳ ଆମେରିକା ରାଷ୍ଟ୍ରପତି ଭାବେ ନୁହେଁ ବରଂ ଦୁନିଆର ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ ଚୀନ ସହ ଆଲୋଚନା କରିବେ ବୋଲି ବାଇଡେନ୍ ସ୍ପଷ୍ଟ କରିଛନ୍ତି । ଏଥିସହ ଚୀନର ଭୁଲକୁ ନେଇ ଡ୍ରାଗନକୁ ଉତ୍ତରଦାୟୀ କରିବା ଲାଗି ଆମେରିକା ଅନ୍ୟ ଦେଶମାନଙ୍କୁ ସହଯୋଗ ଲୋଡ଼ିଛି ।
ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ବୟାନରେ କୁହାଯାଇଛି- ଜିନପିଙ୍ଗଙ୍କ ସହ ଆଲୋଚନା ବେଳେ ଚୀନର ଦାଦାଗିରି ଓ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତିକୁ ନେଇ ବାଇଡେନ୍ ଚିନ୍ତାବ୍ୟକ୍ତ କରିଛନ୍ତି । ଏହାବାଦ୍ ବାଇଡେନ୍ ମାନବାଧିକାର ପ୍ରସଙ୍ଗ ଉଠାଇଥିଲେ । ହିନ୍ଦ-ପ୍ରଶାନ୍ତ ମହାସାଗର ଅଞ୍ଚଳକୁ ମୁକ୍ତ ରଖିବା ଲାଗି ଚୀନକୁ କୁହାଯାଇଛି । ଦୁଇ ନେତା କୋଭିଡ୍-୧୯, ଜଳବାୟୁ ପରିବର୍ତ୍ତନ ଓ ଅନ୍ୟ ପ୍ରସଙ୍ଗରେ ସହଯୋଗ ନେଇ ଆଲୋଚନା କରିଛନ୍ତି ।
I spoke today with President Xi to offer good wishes to the Chinese people for Lunar New Year. I also shared concerns about Beijing’s economic practices, human rights abuses, and coercion of Taiwan. I told him I will work with China when it benefits the American people.
— President Biden (@POTUS) February 11, 2021
ଏନେଇ ବାଇଡେନ୍ ଟ୍ୱିଟ୍ କରି ଲେଖିଛନ୍ତି- ‘ମୁଁ ଆଜି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥା ହେଲି ଏବଂ ଚୀନ ନବବର୍ଷର ଶୁଭେଚ୍ଛା ଜଣାଇଲି । ଚୀନର ଆର୍ଥିକ ନୀତି, ମାନବାଧିକାର ଉଲ୍ଲଂଘନ ଓ ତାଇୱାନରେ ଡ୍ରାଗନର ଦାଦାଗିରିକୁ ନେଇ ଚିନ୍ତା ପ୍ରକଟ କରିଛି । ଏଥିସହ ଆମେରିକା ଲୋକଙ୍କ ଫାଇଦା ହେଲେ ଚୀନ ସହ ମିଶି କାମ କରିବି ବୋଲି ଜିନପିଙ୍ଗଙ୍କୁ କହିଛି ।’
ଅନ୍ୟପଟେ ଚୀନ ସରକାରୀ ମିଡିଆ ମୁତାବକ, ସହଯୋଗ ହିଁ ଉଭୟ ପକ୍ଷଙ୍କ ଲାଗି ବିକଳ୍ପ । ଆମେରିକା ଓ ଚୀନ କୋଭିଡ୍ ମହାମାରୀ, ଆର୍ଥିକ ସଂକଟ ଓ କ୍ଷେତ୍ରୀୟ ସ୍ଥିରତା ପ୍ରସଙ୍ଗ ଉପରେ ମିଳିତ କାମ କରିବା ଆବଶ୍ୟକ ବୋଲି ସି ଜିନପିଙ୍ଗ କହିଛନ୍ତି ।