ବଢ଼ୁଛି ମୃତ୍ୟୁ ସଂଖ୍ୟା, ଏବେ ସୁଦ୍ଧା ୧୮ ମୃତଦେହ ଉଦ୍ଧାର; ୨୦୦ରୁ ଅଧିକ ଏବେ ବି କାଦୁଆ ପଙ୍କରେ ନିଖୋଜ

1 min read

ଉତ୍ତରାଖଣ୍ଡ: ପ୍ରକୃତିର କରାଳ ରୂପ ଦେଖିଲା ଦେବଭୂମୀ ଉତ୍ତରାଖଣ୍ଡ । ମହାପ୍ରଳୟରେ ୧୮ ଜଣଙ୍କ ଜୀବନହାନୀ । ହିମସ୍ଖଳନ ଯୋଗୁ ଏବେ ବି ଶତାଧିକ ନିଖୋଜ ଥିବା ବେଳେ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଏନ୍‌ଟିପିସିର ପାଓ୍ବାର ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀ ବୋଲି କୁହାଯାଉଛି ।

ରବିବାର ଉତ୍ତରାଖଣ୍ଡର ଚମୋଲି ଜିଲାରେ ହିମସ୍ଖଳନ ଘଟି ଅନେକ ଲୋକ ନିଖୋଜ ହୋଇଥିଲେ । ଏବେ ସୁଦ୍ଧା ପାଖାପାଖି ୪୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସତର୍କତା ମୂଳକ ପଦକ୍ଷେପ ଦୃଷ୍ଟିରୁ ଭାର୍ଗବୀ ନଦୀର ଜଳପ୍ରବାହକୁ ବନ୍ଦ କରିଦିଆଯାଇଛି । ସେପଟେ ଅନ୍ୟ ଏକ ଟନେଲରେ ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ଏହି ଟନେଲର ଲମ୍ବ ପ୍ରାୟ ୧ କିଲୋମିଟର ବୋଲିସ ସୂଚନା ରହିଛି । ଉକ୍ତ ଟନେଲ୍‌ ଭିତରେ ୩୦ରୁ ୪୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି ।

ଟନେଲ ମଧ୍ୟରେ ୪ରୁ ୫ଫୁଟ ଉଚ୍ଚର କାଦୁଅ ଭର୍ତ୍ତି ହୋଇ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଛି । ପ୍ରଥମେ କାଦୁଅ ସଫା କରାଯାଇ ଲୋକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ଘଟଣାସ୍ଥଳରେ NDRFର ଡଗ୍ ସ୍କ୍ୱାର୍ଡ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଅଳକାନନ୍ଦା ଓ ଧଉଳିଗଙ୍ଗା ନଦୀରେ ପ୍ରଳୟଙ୍କାରୀ ବନ୍ୟା ଯୋଗୁ ୧୩ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ହେଲିକପ୍ଟର ଯୋଗେ ବିଚ୍ଛିନାଞ୍ଚଳରେ ପହଞ୍ଚୁଛି ଶୁଖିଲା ଖାଦ୍ୟ ଓ ରାଶନ ସାମଗ୍ରୀ । ITBP ଯବାନଙ୍କ ସହିତ NDRF, SDRF ଓ ବାୟୁସେନା ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଗଙ୍ଗାରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଅନେକ ଲୋକ ବାସହରା ହୋଇଥିବା ବେଳେ ବହୁ ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରଯାଇଛି । ଏବେ ବି ପ୍ରାୟ ୨୦୦ ଲୋକ ନିଖୋଜ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଗଙ୍ଗାମାତାଙ୍କୁ ଶାନ୍ତ କରିବାକୁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଆରମ୍ଭ ।

Leave a Reply