spot_img

Latest Posts

ସହିଦ କୋଭିଡ ଯୋଦ୍ଧାଙ୍କୁ ମିଳିବ ସମ୍ମାନ, ନିର୍ମାଣ ହେବ ସହିଦ ସ୍ମାରକୀ

ଭୁବନେଶ୍ୱର: କୋଭିଡ ସହିଦ ଯୋଦ୍ଧାଙ୍କୁ ମିଳିବ ସମ୍ମାନ। କୋଭିଡ ସମୟରେ ଯୋଗାଇ ଦେଇଥିଲେ ନିରନ୍ତର ସେବା। ଅନେକ ସଂକ୍ରମିତ ହୋଇଥିଲେ। ଅନେକଙ୍କ ମୃତ୍ୟୁ ବି ହେଲା। ସେମାନଙ୍କୁ ସହିଦର ମାନ୍ୟତା ଦେଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଗଲା। ଏବେ ସେହି ସହିଦମାନଙ୍କ ସମ୍ମାନରେ ସ୍ମାରକୀ ନିର୍ମାଣ କରିବାର ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର।

ଏ ନେଇ ଭୁବନେଶ୍ବରରେ ସ୍ଥାନ ଚିହ୍ନଟ କରାଯିବ। ସେହିପରି କରୋନା ଯୋଦ୍ଧାଙ୍କ ଅତୁଳନୀୟ ସେବାକୁ ସମ୍ମାନିତ କରିବାକୁ ସ୍ଥିର କରାଯାଇଛି। ସେମାନଙ୍କ ସେବା, ତ୍ୟାଗ ଓ ବଳିଦାନ ପାଇଁ ରାଜ୍ୟରୁ କୋଭିଡ ପ୍ରକୋପ କମିଲା। ଗ୍ରୀନ ଜୋନକୁ ଆସିଲା ଓଡ଼ିଶା ଓ ସୁସ୍ଥତା ହାରରେ ବି ଉନ୍ନତି ଘଟିଲା। ଗତ ସାତ ଦିନ ହେଲା ମୃତ୍ୟୁ ସଂଖ୍ୟା ଶୂନ ରହିଛି। ଏଥିରେ ସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସେବାକୁ ଟ୍ବିଟ କରି ପ୍ରଶଂସା କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ  ।

ସେପଟେ ଟିକାକରଣରେ ଶ୍ରେଷ୍ଠ ରାଜ୍ୟ ଭାବେ ବିବେଚିତ ଓଡ଼ିଶା ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତ ହେଉଛି। ଆସନ୍ତା ଫେବୃଆରୀ ୬ ତାରିଖରୁ ଗୃହ, ନଗର ଉନ୍ନୟନ, ରାଜସ୍ବ ଓ ପଞ୍ଚାୟତିରାଜ ବିଭାଗର ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ସେମାନଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର ସ୍ଥାନ ଓ ଭ୍ୟାକ୍ସିନେଟରଙ୍କୁ ନିୟୋଜିତ କରିବା ପାଇଁ ଜିଲ୍ଲାପାଳ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ମହାନଗର ନିଗମ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପଲସ୍ ପୋଲିଓ ଯୋଗୁ ତିନି ଦିନ ପାଇଁ ବନ୍ଦ ଥିବା ଟିକାକରଣ ଆସନ୍ତାକାଲିଠାରୁ ପୁଣି ଚାଲିବ। ୫୯ଟି ସେସନ ସାଇଟରେ ୬୪୯୮ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ।

 

Latest Posts

Don't Miss