ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବିଡେନ୍‌, ନରେନ୍ଦ୍ର ମୋଦି ଦେଲେ ଶୁଭେଚ୍ଛା

Joe Biden

ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବିଡେନ୍‌ । ହ୍ବାଇଟହାଉସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଛି । ପ୍ରଥମେ ଉପରାଷ୍ଟ୍ରପତି କମଲା ହାରିସ ଶପଥ ନେବା ପରେ ଜୋ ବିଡେନ ଶପଥ ନେଇଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ବିଡେନଙ୍କୁ ଆମେରିକାର ସୁରକ୍ଷା ଓ ଏକତାର ଶପଥ ଗ୍ରହଣ କରାଇଥିଲେ । ଏହି ଅବସରରେ ଆମେରିକାବାସୀଙ୍କୁ ଅଭିଭାଷଣ ଦେଇଥିଲେ ବିଡେନ୍‌ । ଆରମ୍ଭରୁ ହିଁ ପଡୋଶୀ ସହ ସୁସମ୍ପର୍କ ରଖି ଆଗକୁ ବଢିବାକୁ ଗୁରୁତ୍ୱ ଦେଇଥିଲେ ବିଡେନ ।

ଆମେରିକା ଅତୀତରେ ଅନେକ ବାଧାବିଘ୍ନର ସାମ୍ନା କରିଥିଲେ ବି ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ପରିଚୟ ପାଇଛି । ଆମେରିକାର ଐତିହ୍ୟ, ଏକତାକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ । କରୋନା ସମୟରେ ପୁରା ଆମେରିକା ଏକତାର ସୁତ୍ରରେ ବାନ୍ଧି ହୋଇଥିଲା । ଏକତା ପାଇଁ ପୁରା ଦେଶ ପ୍ରତିବଦ୍ଧ ବୋଲି ବିଡେନ କହିଛନ୍ତି ।

ଦେଶ ବର୍ତ୍ତମାନ ଏକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହି ସମୟରେ ଆମକୁ ଆହୁରି ସଜାଗ ରହିବାକୁ ପଡିବ । ଏଥିସହ କରୋନାରେ ମୃତ୍ୟୁ ହୋଇଥିବା ଆମେରିକାବାସୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିଡେନ । ପରିବେଶ ଓ ବର୍ଣ୍ଣବୈଷମ୍ୟ କ୍ଷେତ୍ରରେ ଆମେରିକାକୁ ବିଗତ ଦିନରେ ଅନେକ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡିଛି । ସେ ସବୁକୁ ସମାଧାନ କରି ଆମକୁ ଆଗକୁ ବଢିବାକୁ ପଡିବ ବୋଲି ବିଡେନ କହିଛନ୍ତି ।

ଜାତୀୟ ସଙ୍ଗିତ ଗାନ ସହ ଆରମ୍ଭ ହୋଇଥିଲା ଶପଥ ଗ୍ରହଣ ଉତ୍ସବ । ଲେଡି ଗାଗା ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ । ଆମେରିକାର ଏହି ଐତିହାସିକ କାର୍ଯ୍ୟକ୍ରମରେ ୪ଜଣ ପୂର୍ବତନ ରାଷ୍ଟ୍ରପତି ଯୋଗ ଦେଇଥିଲେ । ବାରାକ ଓବାମା ଓ ମିଶେଲ ଓବାମା ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ପୁରା ଓ୍ବାଶିଂଟନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଜୋ ବିଡେନଙ୍କୁ ସାରା ବିଶ୍ବରୁ ଶୁଭେଚ୍ଛାର ସୁଅ ଛୁଟି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ଦେଶ ମିଶି ଆଗକୁ କାମ କରିବେ ବୋଲି ଆଶା କରିଛନ୍ତି ନରେନ୍ଦ୍ର ମୋଦି ।

Leave a Reply