spot_img

Latest Posts

ଦୁର୍ନୀତି ବିରୁଦ୍ଧରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ: ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ଓ ଅପରାଗତା ହଟାଇବା ସଂକଳ୍ପରେ ଥିବା ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ବର୍ଷକ ମଧ୍ୟରେ ୧୦୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି., ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍‌.ପି., ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ ଜଣ ଖଣି ଅଧିକାରୀ ଓ ଜଣେ ସି.ଡି.ପି.ଓ. ଅନ୍ତର୍ଭୁକ୍ତ  ଅଛନ୍ତି।

ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସରକାରଙ୍କ  କଡ଼ା ଆଭିମୁଖ୍ୟର ଏହା ବଳିଷ୍ଠ ଉଦାହରଣ ତଥା ସତର୍କଘଣ୍ଟି। ଗଲା ୧ ବର୍ଷ ଭିତରେ ୧୦୪ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ନବୀନ ସରକାର ବାଧ୍ୟତାମୂଳକଭାବେ ସରକାରୀ ଚାକିରିରୁ ବିଦା କରିଛନ୍ତି। ଡିସେମ୍ବର ୩୦ ତାରିଖ ଦିନ ରାଜ୍ୟ ସରକାର ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦେଇଥିଲେ।

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଜେଲ ବିଭାଗର ଡି.ଆଇ.ଜି. ଗୋପବନ୍ଧୁ ମଲ୍ଲିକ, ଡି.ଏସ୍‌.ପି ଗୌତମ ମଲ୍ଲିକ,  ଓଡିଶା ସଶସ୍ତ୍ର ପୋଲିସ ସେବା କମାଣ୍ଡାଣ୍ଟ ଏକାନ୍ତ ପ୍ରିୟ ନାୟକ,  କନିଷ୍ଠ ଖଣି ଅଧିକାରୀ ସତ୍ୟବ୍ରତ ରାଉତ, ଓଡିଶା ସଶସ୍ତ୍ର ପୋଲିସ ସେବାର ଡେପୁଟୀ କମାଣ୍ଡାଣ୍ଟ  ଦେବେନ୍ଦ୍ର ନାଥ ବେହେରା , କନିଷ୍ଠ ଖଣି ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା ଏବଂ କୋରାପୁଟ ନନ୍ଦପୁରର ସି.ଡି.ପି.ଓ ସ୍ନିଗ୍ଧାରାଣୀ ମିଶ୍ର।

ମଲ୍ଲିକ୍ ଜେଲ ୱାର୍ଡର ଚୟନ ନିମନ୍ତେ ଥିବା କମିଟିର ମୁଖ୍ୟ ଭାବରେ ତାଙ୍କ ପଦବୀର ଅପବ୍ୟବହାର କରି ଚୟନ ପ୍ରକ୍ରିୟାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବାର ଅଭିଯୋଗ ରହିଥିଲା। ଜେଲ ବିଭାଗରେ ତାଙ୍କରକାର୍ଯ୍ୟକଳାପ ସନ୍ତୋଷଜନକ ନ ଥିଲା ଏବଂ ତାଙ୍କର ସାଧୁତା ସନ୍ଦେହମୁକ୍ତ ନ ଥିଲା।

ସ୍ନିଗ୍ଧାରାଣୀ  କୋରାପୁଟ ନନ୍ଦପୁରର ସି.ଡି.ପି.ଓ. ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ଦୁଇଟି ଭିଜିଲାନ୍ସ ମାମଲା ରହିଥିଳା।  ୨୦୧୬ ରେ ୮୦ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମକଦ୍ଦମା ଦାୟର କରାଯାଇଥିବା ବେଳେ ଅକ୍ଟୋବର ୨୦୨୦ ରେ ଛତୁଆ ବିଲ୍‌ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କ ଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରା ପଡିଥିଲେ। ସେ ବର୍ତ୍ତମାନ ନିଲମ୍ବିତ ଅଛନ୍ତି।

ଓଡିଶା ସଶସ୍ତ୍ର ପୋଲିସ ସେବାରେ କାର୍ଯ୍ୟରତ ଏକାନ୍ତ ପ୍ରିୟ ନାୟକ ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଗୋଟିଏ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଛି ଏବଂ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା। ଜଣେ ମଦ୍ୟପ ତଥା ଅଯୋଗ୍ୟ ଅଫିସର ଭାବରେ ତାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା।

ଗୌତମ ମଲ୍ଲିକ, ଡି.ଏସ୍‌.ପିଙ୍କ ବିରୁଦ୍ଧରେ ଦୁଇଟି ଫୌଜଦାରୀ ମାମଲା ରୁଜୁ କରାଯାଇଥିବା ବେଳେ ତାଙ୍କୁ ମଧ୍ୟ ଚାକିରୀରୁ ନିଲମ୍ବିତ କରାଯାଇଥିଲା। ତାଙ୍କର ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଅଟେ।

ଓଡିଶା ସଶସ୍ତ୍ର ପୋଲିସ ସେବାର ଡେପୁଟୀ କମାଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଦେବେନ୍ଦ୍ର ନାଥ ବେହେରାଙ୍କ ନାମରେ ଜଙ୍ଗଲରୁ କାଠ ଚୋରୀ ଅଭିଯୋଗରେ ଏକ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇଛି। ସେହିପରି ବିନା ଅନୁମତିରେ ସରକାରୀ ଗାଡିରେ ଅଧସ୍ତନ କର୍ମଚାରୀଙ୍କୁ ବ୍ୟବହାର କରି କାଠର ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

କନିଷ୍ଠ ଖଣି ଅଧିକାରୀ ସତ୍ୟବ୍ରତ ରାଉତଙ୍କ ବିରୁଦ୍ଧରେ ୫ ଗୋଟି ଭିଜିଲାନ୍ସ କେସ୍‌ ରହିଛି । ତାଙ୍କର ସାଧୁତା ସନ୍ଦେହ ଜନକ। ଦାୟିତ୍ୱବରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି।

ରମେଶ ଚନ୍ଦ୍ର ପଣ୍ଡା, କନିଷ୍ଠ ଖଣି ଅଧିକାରୀଙ୍କ ବିରୁଦ୍ଧରେ ୩ ଗୋଟି ଭିଜିଲାନ୍ସ କେସ୍‌ ଥିଲାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହ ଜନକ ଅଟେ। ଦାୟୀତ୍ବରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଅପାରଗ ତଥା ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି ଏବଂ ପ୍ରଶାସନରୁ ଦୁର୍ନୀତି ଓ ଅପାରଗତା ଦୂର କରିବାପାଇଁ ସବୁବେଳେ କଠୋର ପଦକ୍ଷେପ ନେଇଛନ୍ତି।

Latest Posts

Don't Miss