ସମ୍ କୋଭିଡ୍ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ
ଭୁବନେଶ୍ୱର: କରୋନା ବିରୋଧ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ । ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ । ଏହି କ୍ରମରେ ବୁଧବାର ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଭୁବନେଶ୍ୱର ସହିଦନଗର ଅଞ୍ଚଳର ମୁରଲୀଧର ଦାସ କୋଭିଡ୍ ସଂକ୍ରମିତ ହୋଇ ଗତ ମେ ୯ ତାରିଖରେ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ମୁରଲୀଧରଙ୍କର ପାର୍କିନ୍ସନ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ବେଳେ ଆଗରୁ ବ୍ରେନଷ୍ଟ୍ରୋକ୍ ମଧ୍ୟ ହୋଇସାରିଛି । କୋଭିଡ ଆକ୍ରାନ୍ତ ହେବା ପରେ ସେ ଠିକ୍ ଭାବେ କଥା ମଧ୍ୟ କହି ପାରୁନଥିଲେ । ତେଣୁ ଏହି ବୟୋଜ୍ୟେଷ୍ଠଙ୍କର ନିଷ୍ଠା ଓ ଯତ୍ନର ସହ ସେବା କରିଥିଲେ ସମ୍ କୋଭିଡର ଡାକ୍ତର ଓ ନର୍ସ ।
ଦୀର୍ଘ ୧୧ ଦିନ ମଧ୍ୟରେ ତାଙ୍କ ସହ ଏକ ଅନାବିଳ ସମ୍ପର୍କ ସୃଷ୍ଟି ହୋଇଯାଇଥିଲା ବୋଲି କହିଛନ୍ତି ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ । ମୁରଲୀଧର ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ବେଶ ଆନନ୍ଦିତ ଥିଲେ । ସେ ଯିବା ସମୟରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା । କୋଭିଡର ଦ୍ଵିତୀୟ ଲହରୀ ସମୟରେ ଭୁବନେଶ୍ୱରର ୯୦ ଓ ୯୮ ବର୍ଷୀୟା ଦୁଇ ଜଣ ବୃଦ୍ଧା ସମ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।