ସାମ୍ବାଦିକ ଜଗତର ପିତାମହଙ୍କ ଶ୍ରାଦ୍ଧ ଦିବସ ପାଳିତ, ଶିଶିର ଭଟ୍ଟ ମିଶ୍ରଙ୍କୁ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସମ୍ମାନ

ଭୁବନେଶ୍ୱର:  ସାମ୍ବାଦିକ ଜଗତର ପିତାମହ ନୀଳମଣି ବିଦ୍ୟାରତ୍ନଙ୍କ ୯୮ତମ ଶ୍ରାଦ୍ଧ ଦିବସ ପାଳିତ । ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଦିବସ ପାଳିତ ହୋଇଛି । ଜୟଦେବ ବିହାର ଛକରେ ଥିବା ନୀଳମଣି ବିଦ୍ୟାରତ୍ନ ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବରେ ଏହି ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଥିଲା ।

ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟ ମିଶ୍ରଙ୍କୁ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି । ଏହାସହ ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ସାରସ୍ବତ ସାଧକ ଗୋଦାବରୀଶ ମିଶ୍ରଙ୍କ ୬୫ ତମ ଶ୍ରାଦ୍ଧ ଦିବସ ମଧ୍ୟ ଭୁବନେଶ୍ୱର ପାଳିତ ହୋଇଯାଇଛି । ମୁଖ୍ୟ ଡାକପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ କବି ପ୍ରବୀର ମହାନ୍ତିଙ୍କୁ ଗୋଦାବରୀଶ ମିଶ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି । ଏଥିସହ ଅଗ୍ନି ତେଜସ୍ବିନୀ,ବିପ୍ଲବିଣୀ ମାଳତୀ ଚୌଧୁରୀଙ୍କ ୧୧୮ ତମ ଜୟନ୍ତୀ ଏବଂ ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ଶ୍ରାଦ୍ଧ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଶ୍ରଦ୍ଧାଞ୍ଜଳୀ କାର୍ଯକ୍ରମରେ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ,ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ,ପଣ୍ଡିତ କୃଷ୍ଣ କେଶବ ଷଡ଼ଙ୍ଗୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Leave a Reply