ରାଜସ୍ଥାନର ଯୋଧପୁରେ ଉତ୍ତେଜନା ଜାରି, ହିଂସାରେ ଜଡ଼ିତ ୯୭ ଅଭିଯୁକ୍ତ ଗିରଫ

ଯୋଧପୁର: ସୁଧୁରୁନି ରାଜସ୍ଥାନ ଯୋଧପୁର ସ୍ଥିତି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହେବା ସହ ୧୦ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ଉତ୍ତେଜନା ଯେପରି ନ ବ୍ୟାପିବ ସେଥିଲାଗି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ରଦ୍ଦ କରାଯାଇଛି । ଯୋଧପୁର ହିଂସାକାଣ୍ଡ ଘଟଣାରେ ଗିରଫ ହୋଇଛନ୍ତି ୯୭ ଅଭିଯୁକ୍ତ । ଇଦ୍ ପାଳନ ବେଳେ ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଯୋଗୁଁ ସହରରେ ସୃଷ୍ଟି ହୋଇଥିଲ ଉତ୍ତେଜନାପୂର୍ଣ୍ଣ ସ୍ଥିତି । ସହରର ଜାଲୋରୀ ଗେଟ୍ ଅଞ୍ଚଳରେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ପତାକା ଲଗାଇବା ଓ ହଟାଇବାକୁ କେନ୍ଦ୍ର କରି ସୋମବାର ଦେଖାଦେଇଥିଲା ଉତ୍ତେଜନା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠି ଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଡିଜିପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଥିଲେ ।