ରାମବିଳାସ ବିୟୋଗ: ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

2 min read

ନୂଆଦିଲ୍ଲୀ:  କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ବିୟୋଗରେ ସାରା ଦେଶ ତଥା ବିଶେଷ କରି ବିହାରରେ ଶୋକର ଛାୟା ଖେଳି ଯାଇଛି । ପାଶୱାନଙ୍କ ବିୟୋଗରେ ଦେଶର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ହଜାର ହଜାର ସାଧାରଣ ଜନତା ଶୋକବ୍ୟକ୍ତ କରିଛନ୍ତି । ଟୁଇଟ୍ ଜରିଆରେ ରାମନାଥ କୋବିନ୍ଦ କହିଛନ୍ତି ଯେ, ପାଶୱାନଙ୍କ ବିୟୋଗରେ ଦେଶ ଏକ ଦୂରଦର୍ଶୀ ନେତାଙ୍କୁ ହରାଇଲା । ସଂସଦକୁ ଲମ୍ବା ସମୟ ଧରି ସେବା ପ୍ରଦାନ କରି ଆସୁଥିବା ସାଂସଦ ମାନଙ୍କ ମଧ୍ୟରୁ ସେ ଅନ୍ୟତମ । ଅବହେଳିତ ଏବଂ ଶୋଷିତଙ୍କ ସ୍ୱର ଥିଲେ ରାମବିଳାସ ପାଶୱାନ ।ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ହୋଇଥିବା ଆନ୍ଦୋଳନର ସେ ଥିଲେ ଜଣେ ସିପାହୀ । ଏହି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି କୋବିନ୍ଦ ସମବେଦନା ଜଣାଇଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ପାଶୱାନଙ୍କ ବିୟୋଗରେ ମୁଁ ଏତେ ମର୍ମାହତ ଯେ, ତାହାକୁ ଭାଷାରେ ବ୍ୟକ୍ତ କରିହେବ ନାହିଁ । ରାମବିଳାସଙ୍କ ବିୟୋଗ ମୋ ପାଇଁ ବ୍ୟକ୍ତିଗତ କ୍ଷତି । ମୁଁ ଜଣେ ଭଲ ବନ୍ଧୁ, କର୍ମଠ ସହଯୋଗୀଙ୍କୁ ହରାଇଲି । ପାଶୱାନ ଏମିତି ଜଣେ ବ୍ୟକ୍ତିତ୍ୱ ଯିଏକି ସବୁବେଳେ ଗରିବ ଲୋକ କିପରି ସମ୍ମାନର ସହ ବଞ୍ଚିବେ, ସେଥିପାଇଁ ଚେଷ୍ଟା କରୁଥିବା ମଣିଷ ହେଉଛନ୍ତି ପାଶୱାନ । ପାଶୱାନ ଯୁବକ ଥିବା ସମୟରେ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ସ୍ୱର ଉତ୍ତୋଲନ କରି ଗଣତନ୍ତ୍ରର ସୁରକ୍ଷା କରିଥିଲେ ବୋଲି ମୋଦି କହିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାଶୱାନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପାଶୱାନଙ୍କ ବିୟୋଗରେ ଗଭୀର ଭାବେ ମର୍ମାହତ । ରାଜନୀତିରେ ବହୁ ଅଭିଜ୍ଞତା ଥିବା ଜଣେ ଜନପ୍ରିୟ ରାଜନେତା । ତାଙ୍କ ବିୟୋଗରେ ପରିବାରବର୍ଗ ପ୍ରତି ଗଭୀର ସମବେଦନା ଜଣାଇବା ସହ, ମୁଖ୍ୟମନ୍ତ୍ରୀ ପାଶୱାନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

 

 

Leave a Reply