ଗୁଣାତ୍ମକ ଶିକ୍ଷାକୁ ମୁଖ୍ୟମନ୍ତ୍ରୀଙ୍କ ଫୋକସ; ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ସୃଷ୍ଟି ହେଲା ୯୦୨ ନୂତନ ପଦବୀ

1 min read

ଭୁବନେଶ୍ୱର: ଭୁବନେଶ୍ୱର:ଗୁଣାତ୍ମକ ଶିକ୍ଷାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ୍ ।  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ନୂତନ ପଦବୀ ସୃଷ୍ଟି । ୬୪୨ ଶିକ୍ଷକ, ୨୬୦ ଅଣଶିକ୍ଷକ ପଦବୀ ସୃଷ୍ଟି ୧୦୬ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମିଳିବ ନିଯୁକ୍ତି । ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି । ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ସୃଷ୍ଟି କରିଛନ୍ତି । ଏଥିରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦ ରହିଛି । ଖୁବ୍ ଶୀଘ୍ର ଏନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ।

୬୪୨ ପୋଷ୍ଟ ଗ୍ରାଜୁଏଟ ଟିଚର ପଦବୀ ସମେତ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ, ୨୪ ଲାବୋରେଟୋରୀ ଆଟେଣ୍ଡାଣ୍ଟ, ୧୦୬ ଆସିଷ୍ଟାଣ୍ଡ୍ ଲାଇବ୍ରେରିଆନ, ୧୦୬ ଜୁନିୟର କ୍ଲର୍କ ପଦବୀ ସୃଷ୍ଟି ହୋଇଛି । ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଧ୍ୟାନ ଦେଇଆସୁଛନ୍ତି । ବିଦ୍ୟାଳୟଗୁଡିକର ବିକାଶ ସହ ଶିକ୍ଷକ, ଅଣଶିକ୍ଷକ ପଦରେ ନିଯୁକ୍ତି ଦେଇଛନ୍ତି । ଏହି କ୍ରମରେ ୯୦୨ ପଦବୀକୁ ମଞ୍ଜୁରି ଦେଇ ଆଉ ଏକ ପଦକ୍ଷେପ ନେଇଛନ୍ତି ।

ଚଳିତ ବର୍ଷ ୧୦୬ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସରକାର ଉନ୍ନୀତ କରିଛନ୍ତି । ଏ ସବୁ ବିଦ୍ୟାଳୟରେ ଯୁକ୍ତ-୨ ଖୋଲିଛି । ଦଶମ ପଢ଼ିସାରିବା ପରେ ଛାତ୍ରଛାତ୍ରୀ ସିଧାସଳଖ ନିଜ ବିଦ୍ୟାଳୟରେ ଯୁକ୍ତ-ଦୁଇ ପଢ଼ିପାରିବେ । ସେମାନଙ୍କୁ ଶିକ୍ଷାଦାନ ପାଇଁ ଏହି ନୂତନ ଶିକ୍ଷକ ପଦବୀଗୁଡିକ ସୃଷ୍ଟି ହୋଇଛି । ସେହିପରି ପ୍ରତି ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟରେ ଅଫିସ କାର୍ଯ୍ୟ, ଲାବ୍ର ସୁପରିଚାଳନା ଓ ପାଠାଗାର ପରିଚାଳନା ପାଇଁ ମଧ୍ୟ ସରକାର ବିଶେଷ ଧ୍ୟାନ ଦେଇ ଅଣ-ଶିକ୍ଷକ ପଦବୀଗୁଡିକୁ ମଞ୍ଜୁରୀ ଦେଇଛନ୍ତି ।