ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ଫସିଛନ୍ତି ୯ ଯୁବକ
ନନ୍ଦିଘୋଷ ବ୍ୟୁରୋ: ପୁଣି ଦାଦାନ ଯନ୍ତ୍ରଣା । ପେଟପାଟଣା ପାଇଁ ଦାଦାନ ଖଟିବାକୁ ଯିବା ହେଲା କାଳ । ହାଇଦ୍ରାବାଦରେ ଫସିଛନ୍ତି ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଗୋରଖପୁର ଅଞ୍ଚଳର ୯ ଜଣ ଯୁବକ । ସେମାନେ ହେଲେ ବିଟୁ ମାଝୀ, ଦୈତାରୀ ମାଝୀ, ବିଭୀଷଣ ମାଝୀ, କବି ମାଝୀ, ରାଜୁ ମାଝୀ, ବୁଲୁ ମାଝୀ, ମୋହନ ମାଝୀ, ସମ୍ରାଟ ମାଝୀ ଏବଂ ବ୍ରଜ ମାଝୀ ।
ଗତ ନଭେମ୍ବର ମାସରେ ଦଲାଲଙ୍କ ସହାୟତାରେ ଏମାନେ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ । ସେଠାରେ କମ୍ପାନୀ ତରଫରୁ ସେମାନଙ୍କୁ କୌଣସି କାମ ମିଳି ନଥିବା ବେଳେ ଏକ କୋଠରୀରେ ରଖାଯାଇଥିଲା । ପାଖରେ ଥିବା ସବୁ ଟଙ୍କା ସରି ଯାଇଥିବା ବେଳେ ଦୀର୍ଘଦିନ ହେବ ଦୁଇ ବେଳା ଖାଇବାକୁ ବି ପାଉ ନଥିବା ସେମାନେ କହିଛନ୍ତି । ଏପରିକି ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ବି କୌଣସି ସହାୟତା ମିଳୁ ନଥିବା ସେମାନେ ଅଭିଯୋଗ କରିଛନ୍ତି ।
ରାୟଗଡା ଜିଲ୍ଲା ପ୍ରଶାସନ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଫେରାଇ ଆଣିବା ପାଇଁ ଯୁବକମାନେ ଏକ ଭିଡିଓ ଜାରି କରି ନିବେଦନ କରିଛନ୍ତି । ଘଟଣାର ଅନୁଧ୍ୟାନ କରି ଯୁବକମାନଙ୍କୁ ତୁରନ୍ତ ଉଦ୍ଧାର କରାଯିବ ବୋଲି ରାୟଗଡା ଶ୍ରମ ଅଧିକାରୀ କହିଛନ୍ତି ।

