୯ଟି ରାଜ୍ୟରେ ସିବିଆଇ ଉପରେ କଟକଣା

ନୂଆଦିଲ୍ଲୀ: ୯ଟି ରାଜ୍ୟରେ ସିବିଆଇ ଉପରେ କଟକଣା। ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସେହି ରାଜ୍ୟରେ ପ୍ରବେଶ କରି ତଦନ୍ତ କରିପାରିବ ନାହିଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଗତ ମାର୍ଚ୍ଚରେ ଏକ ସଂସଦୀୟ କମିଟି ୯ଟି ରାଜ୍ୟ ଦ୍ବାରା ସିବିଆଇକୁ ଦିଆଯାଇଥିବା ସାଧାରଣ ସହମତି ପ୍ରତ୍ୟାହାର କରିନେଇଥିବା ପ୍ରସଙ୍ଗ ଉଠାଇବା ସହ ସିବିଆଇର କାର୍ଯ୍ୟଶୈଳୀର ସୀମା ନିର୍ଦ୍ଧାରଣ ନେଇ ନୂଆ ଆଇନ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲା।

ଦିଲ୍ଲୀ ବିଶେଷ ପୋଲିସ ପ୍ରତିଷ୍ଠାନ ଅଧିନିୟମ ୧୯୪୬ ଅନୁସାରେ ସିବିଆଇ କାର୍ଯ୍ୟଧାରାର ସୀମା ନିର୍ଦ୍ଧାରଣ କରାଯାଇଛି । ତେଣୁ ଏଥିରେ ପରିବର୍ତ୍ତନ ସ୍ବରୁପ ସିବିଆଇର ନିରପେକ୍ଷତାକୁ ସୁନିଶ୍ଚିତ କରିବା ଏବଂ ଅଧିକ କ୍ରିୟାଶିଳ କରିବା ପାଇଁ ନୂଆ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ସଂସଦୀୟ କମିଟି ପ୍ରସ୍ତାବ ଦେଇଛି । ରାଜ୍ୟ ସରକାର ସିବିଆଇଠୁ ସହମତି ପ୍ରତ୍ୟାହାର କରିବାର ଅର୍ଥ, ସିବିଆଇକୁ ମାମଲାର ତଦନ୍ତ ପାଇଁ ପୁଣି ଥରେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ । ସହମତି ନମିଳିବା ପର୍ଯ୍ୟନ୍ତ ସେଠାରେ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ ।

ତେବେ ୨୦୨୨ରେ ପଶ୍ଚିମବଙ୍ଗର ହାଇକୋର୍ଟ ବେଆଇନ କୋଇଲା ଖନନ ଓ ଗୋ ଚାଲାଣ ମାମଲାର ଶୁଣାଣି ବେଳେ ଏକ ନୂଆ ରାୟ ଦେଇଥିଲେ । ରାଜ୍ୟରେ କେନ୍ଦ୍ର ସରକାରଙ୍କର କୌଣସି କର୍ମଚାରୀଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ତଦନ୍ତ କରିବାକୁ ହେଲେ ରାଜ୍ୟ ସରକାରଙ୍କର ଅନୁମତି ଆବଶ୍ୟକ ପଡିବ ନାହିଁ ।

ପୂର୍ବରୁ କିଛି ଅଣ ବିଜେପି ଶାସିତ ରାଜ୍ୟ ଏହା ଅଭିଯୋଗ କରୁଛନ୍ତି ଯେ ସିବିଆଇ ତଦନ୍ତରେ କୌଣସି ନିରପେକ୍ଷତା ରହୁନାହିଁ । ବିରୋଧୀଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି । ଏହାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲେ ବିରୋଧୀ ଦଳ । ବର୍ତ୍ତମାନ ଛତିଶଗଡ଼, ଝାଡ଼ଖଣ୍ଡ, କେରଳ, ମେଘାଳୟ, ମିଜୋରାମ, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମବଙ୍ଗ ସରକାର ସିବିଆଇକୁ କିଛି କ୍ଷେତ୍ରରେ ବିନା ଅନୁମତିରେ ତଦନ୍ତ ପାଇଁ ଯେଉଁ ଅନୁମତି ଦେଇଥିଲେ ତାହା ପ୍ରତ୍ୟାହାର କରିନେଇଛନ୍ତି ।