ରାଜ୍ୟରେ ସାପ କାମୁଡ଼ାରେ ସପ୍ତାହରେ ଗଲାଣି ୯ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସାପ କାମୁଡ଼ାରେ ସପ୍ତାହକରେ ବିଭିନ୍ନ ସ୍ଥାନରେ ଗଲାଣି ୯ ଜଣଙ୍କ ଜୀବନ । ୨୪ ଘଣ୍ଟାରେ ଦେବଗଡ଼ରେ ୩, ଉଦଳାରେ ଜଣେ , କଳାହାଣ୍ଡିରେ ଜଣେ ସର୍ପଦଂଶନରେ ମୃତ୍ୟୁର ଶିକାର ହୋଇଛନ୍ତି । ଦେବଗଡ଼ ଜିଲ୍ଲାରେ ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଶିଶୁଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁ ଦୁଇଜଣ ହେଲେ ଦେବଗଡ଼ ଥାନା ଜାଂଗଲିକୁଦର ଗାଁର ସର୍ବେଶ୍ୱର ଦେହୁରୀଙ୍କ ୧୪ ବର୍ଷର ପୁଅ ଗୌରାଙ୍ଗ ଦେହୁରୀ ଓ ୮ ବର୍ଷର ପୁଅ ସୌଭାଗ୍ୟ ଦେହୁରୀ । ଗତକାଲି ରାତିରେ ଜାଙ୍ଗିଲିକୁଦର ଦୁଇ ଶିଶୁ ଘରେ ଶୋଇଥିବା ବେଳେ ଆଜି ଭୋର ସମୟରେ ଏକ ବିଷାକ୍ତ ସାପ ଦୁଇଶିଶୁଙ୍କୁ କାମୁଡି ଦେଇଥିଲା । ସେହିପରି ଅନ୍ୟ ଜଣେ ମୃତକ ହେଲେ ବଳମ ଗାଁର କ୍ଷମାନିଧି କାରିଗର । ଗତକାଲି ସନ୍ଧ୍ୟାରେ କ୍ଷମାନିଧିଙ୍କୁ ମଧ୍ୟ ବିଷାକ୍ତ ସାପ କାମୁଡ଼ିଥିଲା । କେବଳ ଦେବଗଡ଼ରେ ବର୍ଷକରେ ୧୬ ଜଣଙ୍କ ଜୀବନ ଯାଇଛି ।

ସେପଟେ ମୟୂରଭଞ୍ଜ ଉଦଳାରେ ମା’ ଓ ଦେଢବର୍ଷର ଶିଶୁ ଶୋଇଥିବା ବେଳେ ସାପ କାମୁଡିଥିଲା । ଘଟଣାସ୍ଥଳରେ ଦେଢବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ କଳାହାଣ୍ଡି କଲମପୁରର ଜଣେ ମହିଳା ଭାଇ ଘର ସର୍ଗିଗୁଡ଼ା ଯାଇଥିବାବେଳେ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଛି ।