୨୪ ଘଣ୍ଟାରେ ଭାସିଗଲେ ୯, ଆହୁରି ଦୁଇ ଦିନ ବର୍ଷା ବିତ୍ପାତ

1 min read

ଗୌହାଟୀ: ସାଙ୍ଘାତିକ ହେବାରେ ଲାଗିଛି ଆସାମ ବନ୍ୟାସ୍ଥିତି। ଚାରିଆଡେ ଜଳପ୍ରଳୟର ଭୟାବହ ଚିତ୍ର । ବନ୍ୟା ପାଣିରେ ଉବୁଟୁବୁ ୩୩ ଜିଲ୍ଲା । ୪୨ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ବନ୍ୟାପାଣିରେ ଭାସିଯାଇ ୬ ଜଣଙ୍କ ମୃତ୍ୟୁ ହୋଇଛି । ଭୁସ୍ଖଳନ ଯୋଗୁଁ ଚାଚର ଜିଲ୍ଲାରେ ୩ ଜଣ ପ୍ରାଣ ହରାଇଛନ୍ତି ।

ବନ୍ୟାରେ ଭାସିଯାଇ ୮ ଜଣ ନିଖୋଜ ହୋଇଯାଇଛନ୍ତି ।   ନଗାଓଁ ଜିଲ୍ଲା କାମପୁର ଅଞ୍ଚଳରେ ବନ୍ୟାପାଣିରେ ଦୁଇ ପୋଲିସ ଅଧିକାରୀ ଭାସି ଯାଇଥିବା ସୂଚନା ରହିଛି । କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣଙ୍କ ପତ୍ତା ମିଳିପାରିନି । ବନ୍ୟା ସହ ଭୁସ୍ଖଳନ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ି ଯାଇଛି ।

୫,୧୩୭ ଗାଁରେ ବନ୍ୟାପାଣି ପଶି ଯିବାରୁ ୧୨.୭୬ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ୫ ହଜାରରୁ ଊର୍ଦ୍ଧ୍ବ ଏକର ଚାଷଜମିରେ ବନ୍ୟାପାଣି ମାଡିଯିବାରୁ ଫସଲ ନଷ୍ଟ ହୋଇଛି । ପ୍ରଭାବିତଙ୍କ ପାଇଁ ୭୪୪ ରିଲିଫ କ୍ୟାମ୍ପ ଖୋଲାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି  । ଭାରତୀୟ ସେନା, ପାରାମିଲିଟାରୀ ଫୋର୍ସ, ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ, ପୋଲିସ ବିଭାଗ ସହ ଭଲ୍ୟୁଣ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

 

ବିଶେଷକରି ବରପେଟା, ଚାଚର, ଦୀମା-ହସାଓ, ଦୁବ୍ରି, ଦାରଙ୍ଗ, ସୋନିତପୁର, ନଗାଓଁ ଆଦି ଜିଲ୍ଲା ବନ୍ୟାରେ ଅତ୍ୟଧିକ ପ୍ରଭାବିତ ହୋଇଛି । ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟାପାଣି ଜମି ରହିଥିବାରୁ ହଜାର ହଜାର ଲୋକ ରାଜପଥ ଉପରେ ଆଶ୍ରୟ ନେଇଛନ୍ତି ।  ପ୍ରବଳ ବର୍ଷା, ନଦୀ ଜଳପତ୍ତନ ବୃଦ୍ଧି ଯୋଗୁ ସ୍ଥିତି ଗମ୍ଭୀର ହୋଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ବ୍ରହ୍ମପୁତ୍ର, ମାନସ,  କୋପିଲୀ, ଜିୟା-ଭରାଲୀ ଆଦି ନଦୀରେ ବିପଦସଙ୍କେତ ଉପରେ ବନ୍ୟା ପାଣି ବଢୁଥିବାରୁ ବନ୍ୟା ସ୍ଥିତି ଆହୁରି ବିଗିଡ଼ିପାରେ ବୋଲି ଆଶଙ୍କା କରାଯାଉଛି ।