ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର, ୧୫ ଶହରୁ ଅଧିକ ଗ୍ରାମ ଜଳମଗ୍ନ

ଦିସପୁର: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର । ୨୭ ଜିଲ୍ଲାରେ ଜଳତାଣ୍ଡବ । ୧୫ ଶହରୁ ଅଧିକ ଗ୍ରାମ ଜଳମଗ୍ନ ହୋଇଥିବା ବେଳେ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ବର୍ଷା ଜାରି ରହିଥିବାରୁ ପରିସ୍ଥିତି ଆହୁରି ସଂଗୀନ ହୋଇପାରେ ବୋଲି ଚେତାବନୀ ଦିଆଯାଇଛି । ବ୍ରହ୍ମପୁତ୍ର ନଦୀ ବନ୍ୟାରେ ୧ ହଜାର ୫ ଶହ ଗାଁରେ ପାଣି ପଶିଯାଇଛି । ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ଜାରି ରହିବ ।

ହୋଜାଇ ଜିଲ୍ଲାରେ ପାଣିଘେରରେ ଫସିଥିବା ୨ ହଜାର ଲୋକଙ୍କୁ ଭାରତୀୟ ସେନା ଉଦ୍ଧାର କରିଛି । ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦିମା ହାସାଓ ଜିଲ୍ଲା । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ରେଳ ଓ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ ତିନି ଦିନ ହେବ ଦିମା ହାସାଓ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟା ପ୍ରଭାବିତଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ଔଷଧ ଯୋଗାଇବା ପାଇଁ ବାୟୁସେନାର ସହାୟତା ନିଆଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବା ଶର୍ମାଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ରାଜ୍ୟକୁ ସବୁ ପ୍ରକାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।