ଅଷ୍ଟମ ଦିନରେ କଂସର ଚିଟାଉ ନେଇ ଗୋପପୁର ଯିବେ ଅକ୍ରୁର

ବରଗଡ଼ : ମୃତ୍ୟୁକୁ ନେଇ ଭୟଭୀତ ମହାରାଜା କଂସ । କଳେବଳେ କୌଶଳେ ନିଜର କାଳ ହୋଇ ଗୋପରେ ବଢୁଥିବା କୃଷ୍ଣଙ୍କୁ ମାରିବାକୁ କରିଛି ଯୋଜନା । ନାରଦଙ୍କ ପରାମର୍ଶ କ୍ରମେ ମଥୁରାରେ ଆୟୋଜନ କରିଛି ଧନୁଯାତ୍ରା । ଏଥିପାଇଁ ନିଜର ସମର୍ଥିତ ସମସ୍ତ ଅସୁର ରାଜାଙ୍କ ସହଯୋଗ ଲୋଡିଛି । ଆଜି ବରଗଡ଼ ଧନୁଯାତ୍ରାର ଅଷ୍ଟମ ଦିନରେ କଂସର ଚିଟାଉ ନେଇ ଅକ୍ରୁର ଗୋପପୁର ଯାତ୍ରା କରିବେ ।

ଯମୁନାରେ ଶ୍ରୀକୃଷ୍ଣଙ୍କ ପାଦ ଚିହ୍ନ ଦେଖି ଭାବବିହ୍ବଳ ହେବେ ଭକ୍ତ ଅକ୍ରୁର । ଏହାପରେ କୃଷ୍ଣ ବଳରାମଙ୍କ ସହ ସାକ୍ଷାତ କରିବେ । ସେପଟେ ଗୋପରେ ଇନ୍ଦ୍ରଙ୍କ ଗର୍ବ ଭାଙ୍ଗିବେ ଗର୍ବଗଞ୍ଜନ ଭଗବାନ ଶ୍ରୀକୃଷ୍ଣ । ବର୍ଷା ଓ ଝଡରୁ ଗୋପପୁରବାସୀଙ୍କୁ ଲକ୍ଷା କରିବାକୁ ନିଜର ଆଙ୍ଗୁଠିରେ ଧାରଣ କରିବେ ଗିରି ଗୋବର୍ଦ୍ଧନ ।

ଯାତ୍ରାର ସପ୍ତମ ଦିନରେ ଗୋପରେ ରାଧାକୃଷ୍ଣଙ୍କ ନାବକେଳି ଦେଖିବାକୁ ଜମିଥିଲା ହଜାର ହଜାର ଦର୍ଶକଙ୍କ ଭିଡ଼ । ଦେବଗଡ଼ ମନୋବନ୍ଧରେ ଏହି ଦୃଶ୍ୟକୁ ଦେଖିବାକୁ ଅପେକ୍ଷା କରିଥିଲେ ଦର୍ଶକ । ସେହିପରି ଗୋପରେ କଂସଙ୍କ ଅସୁର ରାଜାଙ୍କ ସହ ମନ୍ତ୍ରଣା, ବିଭିନ୍ନ ଅଫିସରଙ୍କ ସହ ଆଲୋଚନା ସାଙ୍ଗକୁ ଦୁର୍ଗା ମନ୍ଦିରରେ ପୂଜା ଦୃଶ୍ୟ ଅଭିନିତ ହୋଇଥିଲା ।