ପୋଲିସ ଛାଉଣୀରେ ଦ୍ୱୈତ ନଗରୀ: କଟକରେ ୬୨, ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋର୍ସ

1 min read

ଭୁବନେଶ୍ୱର: ଭାରତ-ଦକ୍ଷିଣ ଆଫ୍ରିକା ଟି -20 ମ୍ୟାଚ ପାଇଁ କଡାକଡ଼ି ସୁରକ୍ଷା ବ୍ୟବସ୍ଥା । ବ୍ୟାପକ ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ । ଟୁଇନ ସିଟିକୁ ଜଗିବେ ୮୨ ପ୍ଲାଟୁନ ଫୋର୍ସ । କଟକରେ ୬୨ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । 3ଜଣ ଡିସିପି, 7ଜଣ ଆଡିଶନାଲ ଡିସିପି, 35ଜଣ ଆଇଆଇସି ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ଆସନ୍ତାକାଲି 3ଟାରୁ ଦର୍ଶକଙ୍କ ପାଇଁ ଗେଟ୍ ଖୋଲାଯିବ । ଷ୍ଟାଡିୟମ ଭିତରେ ପାଖାପାଖି ୫୦ହଜାର ଓ ବାହାରେ ୧୫ରୁ ୨୦ହଜାର ଦର୍ଶକ ରହିବେ । ୨୦ହଜାରରୁ ଅଧିକ ବାଇକ ପାର୍କିଂ ହୋଇପାରେ ।

ସମସ୍ତ ସ୍ଥିତିକୁ ନଜରରେ ରଖି ପ୍ରସ୍ତୁତି କରିଛି କମିଶନରେଟ ପୋଲିସ । ମାସ୍କ ପିନ୍ଧିନଥିଲେ ଷ୍ଟାଡିୟମ ପରିସରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଷ୍ଟାଡିୟମ ଭିତରକୁ ଖାଦ୍ୟ, ପାଣି ବୋତଲ, ଲାଠି, ବ୍ୟାଗ୍, ମାଚିସ, ଖୁଚୁରା ପଇସା ଆଣିପାରିବେନି ଦର୍ଶକ । ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରାଯିବ । ସାଧାରଣ ଦର୍ଶକଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ସ୍ଥଳ କରାଯାଇଛି । ପ୍ରତ୍ୟେକ ଗ୍ୟାଲେରୀରେ ମୁତୟନ ହେବେ ପୋଲିସ । ଷ୍ଟାଡିୟମ ଭିତରେ ରହିବ କ୍ବିକ୍ ଆକ୍ସନ ଟିମ୍ ।

ଦର୍ଶକଙ୍କ ଆଗରେ କୌଣସି ପୋଲିସ ଠିଆ ହେବେନାହିଁ । କୌଣସି ବ୍ୟକ୍ତି ବିଶୃଙ୍ଖଳା କଲେ ତାଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳ ଦେଖିବାର ସୂଚନା ରହିଛି । ପ୍ରଥମ ବ୍ୟକ୍ତି ଭାବେ ଅଫଲାଇନ ଟିକେଟ୍ କିଣିଥିଲେ ନବୀନ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବାରବାଟୀ ଯାଇ ଖେଳ ଦେଖିବେ । ଏଥିପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।