ନିମାପଡାରେ ୮୧ ତମ ସହିଦ ଦିବସ ପାଳିତ

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡାରେ ୮୧ ତମ ସହିଦ ଦିବସ ପାଳିତ । ୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ନିମାପଡାର ତତ୍କାଳୀନ ସ୍ବାଧୀନତା ସଂଗ୍ରାମୀ ପଦ୍ମଚରଣ ସାମନ୍ତସିଂହାର ଓ ମୋହନ ଦାଶଙ୍କ ନେତୃତ୍ୱରେ ସେହିବର୍ଷ ସେପ୍ଟେମ୍ବର ୧୬ରେ ଶତାଧିକ ସଂଗ୍ରାମୀ ନିମାପଡା ଥାନା ଘେରାଉ କରି ପୋଡାଜଳା କରିଥିଲେ । ଇଂରେଜ ପୋଲିସଙ୍କ ଗୁଳିରେ ସଂଗ୍ରାମୀ ଉଚ୍ଛବ ମଲ୍ଲିକ ସହିଦ ହୋଇଥିଲେ । ନିମାପଡା ଏନଏସି ପକ୍ଷରୁ ସହିଦ ଦିବସ ପାଳନ ଅବସରରେ ଶତାଧିକ ଛାତ୍ରଛାତ୍ରୀ ଏକ ମଶାଲ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରିଥିଲେ । ପରେ ସହୀଦ ସ୍ମୃତି ସ୍ତମ୍ବରେ ମାଲ୍ୟାର୍ପଣ କରାଯାଇଥିଲା ।

ପୁରୀ ପୋଲିସ ପକ୍ଷରୁ ସହୀଦ ସ୍ମୃତି ସ୍ତମ୍ବ ନିକଟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଓ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ   ସ୍ୱାଧିନତା ସଂଗ୍ରାମୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରି ଶହୀଦଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।