ବାଣ କାରଖାନାରେ ବିସ୍ଫୋରଣ, ୩ମହିଳାଙ୍କ ସମେତ ୮ ମୃତ

କୃଷ୍ଣଗିରି: ତାମିଲନାଡୁର କୃଷ୍ଣାଗିରି ଜିଲ୍ଲାରେ ସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣରେ ତିନି ମହିଳାଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସକୁ ଏପର୍ଯ୍ୟନ୍ତ ସୁଦ୍ଧା ବିସ୍ଫୋରଣର କାରଣ ଜଣାପଡ଼ିନାହିଁ । ଶନିବାର ସକାଳେ ହୋଇଥିବା ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା ଏକ କୋଠା ମଧ୍ୟ ଭୁଶୁଡ଼ିପଡ଼ିଛି । ସେହିପରି ଚାରୋଟି ଅନ୍ୟ କୋଠା ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଛି । ସେଥିରେ ଅନେକ ଲୋକମଧ୍ୟ ଫସିରହିଥିଲେ । ପୋଲିସ କହିଛି ଯେ ଏପର୍ଯ୍ୟନ୍ତ ସୁଦ୍ଧା ଗମ୍ଭୀର ରୂପେ ଆହତ ୧୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ଭଗ୍ନାଂଶ ତଳେ କେତେ ଲୋକ ଫସିରହିଛନ୍ତି ସେନେଇ କିଛି ସ୍ପଷ୍ଟ ସଂଖ୍ୟା ଜଣାପଡ଼ିନାହିଁ । ଏପଟେ ପୋଲିସ କହିବା ମୁତାବକ କୃଷ୍ଣାଗିରି ଜିଲ୍ଲାର ପଝାୟାପେଟ୍ଟଇରେ ବାଣ କାରଖାନାରେ ସକାଳ ପ୍ରାୟ ୧୦ ଟା ସମୟରେ ଏହୁ ବିସ୍ଫୋରଣ ହୋଇଥିଲା । ୨ ମହିଳା ଶ୍ରମିକ ବାଣ ବନାଇବାରେ ବ୍ୟବହୃତ ବାରୁଦକୁ ନେଇ ଯାଉଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । କାରଖାନାରେ ପ୍ରାୟ ୧୨ରୁ ୧୫ ଶ୍ରମିକ କାମ କରୁଥିଲେ । ଏଥିମଧ୍ୟରୁ ଅନେକ ଆହତ ହୋଇଛନ୍ତି ।