୮ ମାସ ଶିଶୁକନ୍ୟାର ଅସ୍ବାଭାବିକ ଭାବେ ଫୁଲୁଛି ମୁଣ୍ଡ, ଯନ୍ତ୍ରଣାରେ ହେଉଛି ଛଟପଟ

ଅନୁଗୁଳ: ୮ ମାସ ଶିଶୁକନ୍ୟା । ଅସ୍ବାଭାବିକ ଭାବେ ଫୁଲିଛି ମୁଣ୍ଡ । ଝିଅର ଚିକିତ୍ସା କରିବାକୁ ମୂଲ ଲାଗି ପରିବାର ଚଳାଉ ଥିବା ଦିବ୍ୟାଙ୍ଗ ବାପା ଅସମର୍ଥ । ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିପାରୁନାହାନ୍ତି ବାପାମାଆ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବସନ୍ତପୁର ଗାଁରେ । ଝିଅର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।

ଦୁଃଖର କଳା ବାଦଲ ବସନ୍ତପୁର ଗାଁର ଚିତ୍ତରଞ୍ଜନଙ୍କ ପରିବାରକୁ ଢାଙ୍କି ଦେଇଛି । ପତ୍ନୀ ଗିନି ନାଏକଙ୍କ ସହ ୩ ସନ୍ତାନଙ୍କୁ ନେଇ ଚିତ୍ତରଞ୍ଜନଙ୍କ ପରିବାର । ଚିତ୍ତରଞ୍ଜନ ଜଣେ ଦିବ୍ଯାଙ୍ଗ ହୋଇଥିବା ବେଳେ ପରିବାରର ଆର୍ଥିକ ସ୍ଥିତି ଭଲ ନାହିଁ । ମୂଲ ଲାଗି ଯାହା ଆଣନ୍ତି ସେଥିରେ କଷ୍ଟେ ମଷ୍ଟେ ଚଳେ ତାଙ୍କ ତେଲ, ଲୁଣର ସଂସାର । ଏତେ କଷ୍ଟ ଦେବା ପରେ ବି ଯେମିତି ଦଇବର ମନ ଶାନ୍ତି ହୋଇ ନଥିଲା । ମାତ୍ର ୮ ମାସର କୁନି ଝିଅ ଉପରେ ପଡ଼ିଥିଲା ଯନ୍ତ୍ରଣାର ଲାଠି । ଅଜଣା ରୋଗରେ ପୀଡିତ ହୋଇ ହଠାତ ଝିଅର ମୁଣ୍ଡ ଫୁଲିବାକୁ ଲାଗିଲା । ଚିକିତ୍ସା ନିମନ୍ତେ ଡାକ୍ତର କଟକ ବଡ ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ । ହେଲେ ଅର୍ଥ ଅଭାବରୁ କଟକରେ ଚିକିତ୍ସା କରାଇବା ପରିବାର ଲୋକେ ଅସମର୍ଥ । ଏପଟେ ଚିକିତ୍ସା ଅଭାବରୁ ଶିଶୁର ମୁଣ୍ଡ ଅଧିକରୁ ଅଧିକ ଫୁଲିବାରେ ଲାଗିଛି । ତେଣୁ ଚିକିତ୍ସା ନିମନ୍ତେ ସହାୟତା ଯୋଗାଇ ଦେବାକୁ ଶିଶୁ କନ୍ୟାର ମାଆବାପା ଏବଂ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଏହାରି ମଧ୍ୟରେ ଝିଅର ଚିକିତ୍ସା ପାଇଁ ଧାର ଉଧାର କରି ପରିବାର ଏବେ ନିଶହାୟ ହୋଇ ଗଲାଣି । ଚିକିତ୍ସା ହୋଇପାରୁ ନଥିବାରୁ ରୋଗ ବଢିବାରେ ଲାଗିଛି । କୁନି ଝିଅର ଏଭଳି ଅବସ୍ଥା ଯୋଗୁଁ ପୂରା ପରିବାର ଚିନ୍ତାରେ ରହିଛନ୍ତି । ଖବର ପାଇବା ପରେ ଚିତ୍ତରଞ୍ଜନଙ୍କ ପରିବାରକୁ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମୁରା କହିଛନ୍ତି ।

ଗରିବ ଅସହାୟ ଲୋକଙ୍କ ନିକଟରେ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ରହିଥିବା ବେଳେ ଏହି ଯୋଜନା ସଠିକ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଯାହା ଫଳରେ ଲୋକମାନେ ସ୍ବାସ୍ଥ୍ୟସେବା ନପାଇ ଦୟନୀୟ ସ୍ଥିତିରେ ରହିବା ସହ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି । ସ୍ବାସ୍ଥ୍ୟସେବାକୁ ଅଧିକ ତ୍ବରାନ୍ବିତ କରି ସବୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସାଧାରଣରେ ଦାବି ହେଉଛି ।