ପାରାଦୀପ-ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ୮ଲେନ୍ ବିଶିଷ୍ଟ ରାସ୍ତା

1 min read

ଭୁବନେଶ୍ୱର:ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ଅର୍ଥନୈତିକ କରିଡର। ପାରାଦୀପ-ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ୮ଲେନ୍ ବିଶିଷ୍ଟ ରାସ୍ତା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦୁଝର ଖଣି ଅଞ୍ଚଳରୁ ୩ ଶହ କିମି ଲମ୍ବ ଏହି ରାସ୍ତା ଦ୍ବାରା ପାରାଦୀପ ବନ୍ଦରକୁ ଖଣିଜ ସାମଗ୍ରୀ ପରିବହନ ସୁଗମ ହେବ। ଖଣିଜ ସଂପଦରେ ଭରା କେନ୍ଦୁଝର ଅର୍ଥନୀତି ଦୃଷ୍ଟିରୁ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ହୋଇଥିବା ବେଳେ ଶୀଘ୍ର ପ୍ରକଳ୍ପ ନିର୍ମାଣ କାମ ଶେଷ କରିବାକୁ ନବୀନ ପ୍ରସ୍ତାବ ଦେଇଛନ୍ତି। ପାରାଦୀପ-ବଡ଼ବିଲ ମଧ୍ୟରେ ନିର୍ମାଣ ହେବାକୁ ଥିବା  ୮ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ସମୟରେ ସର୍ଭିସ ରୋଡ ଦେବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରକଳ୍ପରେ ରାଜ୍ୟର ଭାଗିଦାରୀ ରହିବା ସହିତ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ପ୍ରତି ଦୁଇ ମାସରେ କେନ୍ଦ୍ର ସହ ବୈଠକ କରି କାମ ତ୍ବରାନ୍ବିତ କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବିତ ୩ଶହ କିଲୋମିଟର ଦୀଘା-ସାତପଡ଼ା ବେଳାଭୂମି ଜାତୀୟ ରାଜପଥ ପାଇଁ ଦେଖାଦେଇଥିବା ସମସ୍ୟାର ତୁରନ୍ତ ସମାଧାନ କରିବାକୁ କହିବା ସହ ରାଜ୍ୟ ସରକାର ଏଥିପାଇଁ କ୍ଲିଅରାନ୍ସ ଦେଇଛନ୍ତି। ଏସବୁ ପ୍ରସ୍ତାବରେ କେନ୍ଦ୍ର ମନ୍ତ୍ରୀ ଗଡ଼କରୀ ରାଜି ହୋଇଛନ୍ତି। ସେହିଭଳି ଏନଏଚ-୨୦ର ପାଣିକୋଇଲି-ରେମୁଳି ଅଂଶର ୪ ଥାକିଆ କାମ ସାରିବା ନେଇ ଆଲୋଚନା ହୋଇଛି। କେନ୍ଦ୍ରମନ୍ତ୍ରୀ ଏକ ବର୍ଷ ମଧ୍ୟରେ କାମ ସରିବ ବୋଲି ଆଶ୍ବାସନା ଦେଇଛନ୍ତି। ସେହିଭଳି ୪୩ କିଲୋମିଟର ରେମୁଳି-କୋଇଡା ଏବଂ ୧୦୪ କିଲୋମିଟର ସିଙ୍ଗଡା-ବିଞ୍ଜବାହଲ ୪ ଥାକିଆ ରୋଡ ଜୁନ ୨୦୨୧ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ଯାଇ ଆଠ ଥାକିଆ ରୋଡ ବିଷୟରେ ଯୋଜନା ହେବ।

ଆଲୋଚନାରେ ଗୋପାଳପୁର, ସୁବର୍ଣ୍ଣରେଖା, ଅସ୍ତରଙ୍ଗ, ପାରାଦୀପ ଏବଂ ଧାମରା ବନ୍ଦର ସଂଯୋଗୀକରଣ ସ୍ଥାନ ପାଇଥିଲା। ଏହି ସବୁ ପ୍ରକଳ୍ପଗୁଡିକୁ ଶୀଘ୍ର ଶେଷ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ବିଜୁ ଏକ୍ସପ୍ରେସ ୱେର ଅଂଶ ଅମ୍ପାନି-ଜୟପୁର, ଭୁବନେଶ୍ବର-ପୁରୀ ଏକ୍ସପ୍ରେସ ୱେ ଏବଂ ରାୟପୁର-ବିଶାଖାପାଟଣା ରୋଡ ସଂପର୍କରେ ଉଭୟ ସରକାର ଆଲୋଚନା କରିଛନ୍ତି। ଶେଷରେ କାନୁପୁର ଜଳସେଚନ ପ୍ରକଳ୍ପ ଶୀଘ୍ର ଶେଷ କରିବାକୁ କେନ୍ଦ୍ର ମନ୍ତ୍ରୀ ଗଡକରୀଙ୍କ ଆଶ୍ବାସନାରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Leave a Reply