ଭୁବନେଶ୍ବର : ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଆଜି ଓଡ଼ିଶା ବନ୍ଦ । ଟୋକନ ସମସ୍ୟା ଜାରି ରହି ମଣ୍ଡିରେ ଉଠୁନି ଧାନ । ବ୍ୟାପକ ଭାବେ ଚାଲିଛି କଟନୀ ଛଟନୀ । ହନ୍ତସନ୍ତ ହେଉଛନ୍ତି ରାଜ୍ୟର ଚାଷୀକୂଳ । ଏହା ବିରୋଧରେ ଆନ୍ଦୋଳନର ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଏନେଇ ଆଜି ନବ ନିର୍ମାଣ କୃଷକ ସଙ୍ଘ ଦେଇଛି ଓଡ଼ିଶା ବନ୍ଦ ଡାକରା । ଚାଷୀଙ୍କ ସମସ୍ୟାକୁ ନେଇ ଅଖଚକ ବନ୍ଦ କରାଯିବ । ସକାଳ ୬ଟାରୁ ଅପରାହ୍ନ ଦୁଇଟା ଯାଏଁ ଏହି ବନ୍ଦ କରାଯିବ ।
ସେପଟେ ପିୟୁସିସି ନାଁରେ ମନଇଚ୍ଛା ଫାଇନ ନିଆଯାଉଛି । ରାଜ୍ୟର ଅର୍ଥନୀତି ବିପରିତ ଦିଗରେ ଯାଉଥିବାରୁ ଏହାକୁ ଫାଇନ ଆକାରରେ ଆଦାୟ କରି ଲୋକଙ୍କ ଉପରେ ବୋଝ ଲଦାଯାଉଥିବା ଅଭିଯୋଗ ହୋଇଛି । ଏହି ବନ୍ଦ ଡାକରାରେ ଏହାକୁ ବି ପ୍ରସଙ୍ଗ କରାଯିବ । ସେହିପରି ଟାଟା ପାଓ୍ବାର ଶୋଷଣ କରୁଥିବାରୁ ଉଦବେଗ ପ୍ରକାଶ ପାଉଛି । ଆନ୍ଦୋଳନ ପୂର୍ବରୁ ପୋଲିସର ଦମନଲୀଳା ଆରମ୍ଭ ହୋଇଥିବା ନବ ନିର୍ମାଣ କୃଷକ ସଂଗଠନ ଅଭିଯୋଗ କରିଛି ।
ଜାଣିଶୁଣି ସଂଗଠନର କର୍ମୀଠାରୁ ଫାଇନ ଆଦାୟ ପାଇଁ ରସିଦ ପଠା ଯାଇଛି । ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ ସିପିଆଇ-ଏମଏଲ ବି ସମର୍ଥନ ଜଣାଇଛି । ସେହିପରି ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ମିଳିଛି କଂଗ୍ରେସର ସମର୍ଥନ । ପ୍ରତି ଜିଲ୍ଲାରେ ବନ୍ଦକୁ ସମର୍ଥନ କରିବ କଂଗ୍ରେସ । କଂଗ୍ରେସର ପ୍ରତି କର୍ମୀ ଏହି ଆନ୍ଦୋଳନରେ ସାମିଲ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

