ଛତିଶଗଡ଼ରେ ଖୋଲିଲା ୮ଟି ଗେଟ୍, ମହାନଦୀରେ ମାଡ଼ି ଆସୁଛି ବନ୍ୟାପାଣି

ସମ୍ବଲପୁର: ମହାନଦୀରେ ମାଡ଼ି ଆସୁଛି ବନ୍ୟାପାଣି । ଖୋଲିଲା ଛତିଶଗଡ଼ର ସମୋଦା ବ୍ୟାରେଜର ୮ଟି ଗେଟ୍, ୮ଟି ଗେଟ୍ ଦେଇ ସମୋଦାରୁ ବନ୍ୟାଜଳ ନିଷ୍କାସନ କରାଯାଉଛି । ଫଳରେ ହୀରାକୁଦର ଜଳସ୍ତର ଆହୁରି ବଢ଼ିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଏବେ ଜଳଭଣ୍ଡାରର ଜଳସ୍ତର ୬୧୫.୫୨ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୭୭ ହଜାର ୨୯୦ ଘନଫୁଟ୍ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଦୁଇଟି ଗେଟରେ ୬୭ ହଜାର ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି । ଆଗକୁ ସ୍ଥିତି ଦେଖି ଅଧିକ ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।