ମ୍ୟୁଜିକ ଫେଷ୍ଟିଭାଲରେ ଅଘଟଣ; ଦଳାଚକଟାରେ ୮ ମୃତ

ହୋଷ୍ଟନ: ଆଷ୍ଟ୍ରୋଓ୍ବାର୍ଲ୍ଡ ମ୍ୟୁଜିକ ଫେଷ୍ଟିଭାଲର ପ୍ରଥମ ଦିନରେ ହିଁ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା । ଆମେରିକାର ହୋଷ୍ଟନଠାରେ ଏକ ମ୍ୟୁଜିକ ଫେଷ୍ଟିଭାଲ ଚାଲୁଥିବାବେଳେ ଘଟିଛି ଏହି ଦୁର୍ଘଟଣା । ଯାହାଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହାତ ହୋଇଛନ୍ତି । ଏନେଇ ଆମେରିକାର ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ହୋଷ୍ଟନ ଫାୟାର ଚିଫ୍ ସାମୁଏଲ ପେନା କହିଛନ୍ତି କି ଏହି ଦୁର୍ଘଟଣାରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହାତ ହୋଇଛନ୍ତି । ସେ ଆହୁରି କହିଛନ୍ତି କି ଆମେ ୧୭ ଜଣଙ୍କୁ ଡାକ୍ତରଖାନାକୁ ପଠାଇଛୁ ଏବଂ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କର ହୃଦଘାତରେ ଶିକାର ହୋଇଛନ୍ତି । ଏହି ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭରୁ ସବୁ କିଛି ଠିକ୍ ଚାଲିଥିଲା । କିନ୍ତୁ ରାତି ପ୍ରାୟ ୯ରୁ ୯.୧୫ ମିନିଟ ସମୟରେ ବହୁ ସଂଖ୍ୟାରେ ଲୋକ ଷ୍ଟେଜର ଆଗକୁ ଯିବାକୁ ଲାଗିଥିଲେ । କିନ୍ତୁ ଏହି ସମୟରେ ହଠାତ୍ ଠେଲା ପେଲା ହୋଇଥିଲା । ତେବେ ଏହା କିଛି ସମୟ ପରେ ଦଳା ଚକଟାର ରୂପ ନେଇଥିଲା । ଦଳ ଚକଟା ହେବାରୁ ଲୋକ ଏଣେ ତେଣେ ଦୌଡିବାରୁ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ କର୍ତ୍ତୁପକ୍ଷ କହିଛନ୍ତି କି ଏହି କାର୍ଯକ୍ରମରେ ମୋଟ ୩୦୦ରୁ ଅଧିକ ଲୋକ ଆହାତ ହୋଇଛନ୍ତି ।

ରାପର ଟ୍ରାଭିସ୍ ସ୍କଟଙ୍କ ସୋ ପାଇଁ ଦୁଇ ଦିନର ସମୟ ରହିଥିଲା । ଏହି ଦୁଇ ଦିନିଆ ସୋ ପାଇଁ ବହୁ ସଂଖ୍ୟାର ଲୋକ ଆସିଥିଲେ । ଟ୍ରାଭିସ ସ୍କଟଙ୍କ ଏହି ସୋ’ର ପ୍ରଥମ ଦିନରେ ୫୦ ହଜାର ଲୋକ ଆସିଥିଲେ । କିନ୍ତୁ ପ୍ରଥମ ଦିନରୁ ହିଁ  ଘଟିଥିଲା ବଡ଼ ଅଘଟଣ । ଯାହା ଫଳରେ ଏହି ସଙ୍ଗୀତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

Leave a Reply