ମେଡିକାଲ ସାଇନ୍ସର ଚମତ୍କାର! ୧୦ ବର୍ଷ ତଳେ ଦୁଇ ହାତ ହରାଇଥିଲେ ମହିଳା, ଏବେ ଶରୀରରେ ଲାଗିଲା ୭୬ ବର୍ଷୀୟା ବୃଦ୍ଧାଙ୍କ ଦୁଇ ହାତ

1 min read

ନୂଆାଦିଲ୍ଲୀ: ଆଜିରସମୟରେ ମେଡିକାଲ ସାଇନ୍ସ ଅସମ୍ଭବକୁ ସମ୍ଭବ କରିପାରୁଛି । ହାତ, ଗୋଡ଼ ସମେତ ଶରୀରର ବିଭିନ୍ନ ଅଙ୍ଗ ପ୍ରତିରୋପଣ ଅନେକ ଲୋକଙ୍କୁ ନୂଆ ଜୀବନ ଦେଉଛି । ଏହା ମଧ୍ୟରେ ଜଣେ ମହିଳାଙ୍କ ଶରୀରରେ ଜଣେ ବୃଦ୍ଧଙ୍କ ଦୁଇ ହାତ ପ୍ରତିରୋପଣ କରାଯାଇଛି । ହରିୟାଣାର ଫରିଦାବାଦ ସ୍ଥିତ ଅମୃତା ହସ୍ପିଟାଲର ଡାକ୍ତରମାନେ ଏକ ବଡ଼ ଚମତ୍କାର କରିଛନ୍ତି । ୧୨ ଘଣ୍ଟାର ଜଟିଳ ସଜର୍ରୀ ମାଧ୍ୟମରେ ଜଣେ ୩୮ ବର୍ଷୀୟା ମହିଳାଙ୍କ ଶରୀରରେ ୭୬ ବର୍ଷୀୟା ବୃଦ୍ଧାଙ୍କ ଦୁଇ ହାତ ପ୍ରତିରୋପଣ ସମ୍ଭବ ହୋଇ ପାରିଛି । ଜୀବନରେ ଦୁଇ ହାତ ପୁଣି ଫେରି ପାଇବେ ବୋଲି ସ୍ବପ୍ନରେ ବି ଭାବି ନଥିଲେ ବୋଲି ଦୁଇ ହାତ ପାଇବା ପରେ ମହିଳା ଜଣଙ୍କ କହିଛନ୍ତି ।

ଖବର ମୁତାବକ, ଏମ୍ସ ଋଷିକେଶର ୩୮ ବର୍ଷୀୟା ପିଏଚଡି ସ୍କଲାର ଟ୍ବିଙ୍କଲ ଡୋଗରା ପାଖାପାଖି ୧୦ ବର୍ଷ ତଳେ କରେଣ୍ଟ କାରଣରୁ ନିଜର ଦୁଇ ହାତ ହରାଇଥିଲେ । ଦୀର୍ଘ ବର୍ଷ ପରେ ଏବେ ମହିଳା ଜଣଙ୍କ ନୂଆ ଜୀବନ ପାଇଛନ୍ତି । ୭୬ ବର୍ଷୀୟା ମହିଳା ଡୋନର କେବଳ ଦୁଇ ହାତ ଅଙ୍ଗଦାନ କରିନାହାନ୍ତି, ୫ ଜଣ ଲୋକଙ୍କୁ ମଧ୍ୟ ନୂଆ ଜୀବନ ଦେଇଛନ୍ତି । ଏହି ଅବସରରେ ଡାକ୍ତରମାନେ ଡବଲ-ହ୍ୟାଣ୍ଡ ଟ୍ରାନ୍ସପ୍ଲାଣ୍ଟ ବ୍ୟତୀତ କିଡନୀ, କାର୍ଣ୍ଣିୟଲ, ଲଙ୍ଗ ଟ୍ରାନ୍ସପ୍ଲାଣ୍ଟ ସହିତ ପାଞ୍ଚଟି ଜଟିଳ ପ୍ରକ୍ରିୟାରେ ସଫଳ ହୋଇଥିଲେ । ଏହି ଐତିହାସିକ ସଜର୍ରୀ ପରେ ଅମୃତା ହସ୍ପିଟାଲ ଉତ୍ତର ଭାରତରେ ଡବଲ-ହ୍ୟାଣ୍ଡ ଟ୍ରାନ୍ସପ୍ଲାଣ୍ଟ କରିବାରେ ପ୍ରଥମ ହସ୍ପିଟାଲ ହୋଇପାରିଛି । ଜଣେ ସେନା ଅଧିକାରୀଙ୍କ ପତ୍ନୀଙ୍କ ଅଙ୍ଗଦାନ କାରଣରୁ ଏହା ସମ୍ଭବ ହୋଇପାରିଛି । ମହିଳାଙ୍କର ମୃତ୍ୟୁ ବ୍ରେନ ହେମରେଜ କାରଣରୁ ହୋଇଥିବା ବେଳେ ଏବେ ସେ ୫ ଜଣ ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି । ଏହି ସର୍ଜରୀ କରି ଡାକ୍ତରମାନେ ଇତିହାସ ରଚିଛନ୍ତି । ୭୬ ବର୍ଷୀୟା ମହିଳା ଏହି ଅଙ୍ଗଦାନ କରି ଅନ୍ୟ ବୃଦ୍ଧବୃଦ୍ଧାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।