ବିନା ଭକ୍ତରେ ଗଡ଼ିଲା ରଥ: ପୁରୀ ସହରରେ ମୁତୟନ ହୋଇଥିଲା ୭୫ ପ୍ଳାଟୁନ୍‌ ଫୋର୍ସ

1 min read

ପୁରୀ: ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ନବ ଦିନାତ୍ମକ ଘୋଷଯାତ୍ରା । ପ୍ରଥମ ଥର ପାଇଁ ବିନା ଭକ୍ତ ଓ କଡ଼ା ସୁରକ୍ଷାବଳୟରେ ଶରଧାବାଲିରେ ଲାଗିଛି ତିନି ରଥ । ତେବେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା କରାଇବା ପୋଲିସ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ତେବେ ଶରଧାବାଲି ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଥିବାବେଳେ ସହରରେ କଟକଣା କୋହଳ କରାଯାଇଛି । ଏହାସହ ଗ୍ରାମାଞ୍ଚଳରେ ମଧ୍ୟ କଟକଣାକୁ କୋହଳ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ କହିଛି ।  

ଚ୍ୟାଲେଞ୍ଜ ଭିତରେ ସରିଲା ଘୋଷଯାତ୍ରା । ପୋଲିସ ସୁରକ୍ଷା ବଳୟରେ ଥିଲା ଶ୍ରୀକ୍ଷେତ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଘୋଷଯାତ୍ରା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପୋଲିସ କରିଥିଲା ସୁରକ୍ଷା ରଣନୀତି ।  ପୁରୀ ସହରରେ ମୁତୟନ ହୋଇଥିଲା ୭୫ ପ୍ଲାଟୁନ ଫୋର୍ସ । ରଥ ଓ ପଥରେ ସବୁଠି କଡ଼ା ନଜର ରଖିଥିଲା ପୋଲିସ । ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ଦେଢ ଶହ ପ୍ଲାଟୁନ ଫୋର୍ସ ସହ ସିସିଟିଭିରେ ରଖାଯାଇଥାଏ ଯାତ୍ରା ଉପରେ ନଜର । ଫ୍ରଣ୍ଟ ଲାଇନରେ ଥିଲା ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ ।

ପୁରୀରେ ରଥଯାତ୍ରାରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦିଆଯାଇଛି । ନନ୍ଦିଘୋଷ ରଥ ପାଇଁ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ସୁଭଦ୍ରା ରଥ ପାଇଁ ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜ ଓ ବଳଭଦ୍ରଙ୍କ ରଥ ସୁରକ୍ଷା ଦାୟିତ୍ୱରେ ପୁରୀ ଏସପି ଉମାଶଙ୍କର ଦାଶ ଅଛନ୍ତି । ପୁରୀରେ କଟକଣା ଭିତରେ ରଥଯାତ୍ରା ସଂପନ୍ନ କରିବା ପାଇଁ ସୋମୃବାର ରାତି ୯ଟାରୁ ବୁଧବାର ୨ଟା ପର୍ଯ୍ୟନ୍ତ ୪୧ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିଥିଲେ ରାଜ୍ୟ ସରକାର ।

ଯାତ୍ରା ପାଇଁ ପୁରୀ ସହରର ସମସ୍ତ ଗଳିକନ୍ଦି ସହିତ ପ୍ରବେଶ ପଥକୁ ସିଲ କରିଦିଆଯାଇଛି । ପୁରୀ-ଭୁବନେଶ୍ୱର, ପୁରୀ-କୋଣାର୍କ, ପୁରୀ-ବ୍ରହ୍ମଗିରି ରାସ୍ତାକୁ ସିଲ କରିଦେଇଥିଲା ପୋଲିସ । ସୁରକ୍ଷିତ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସୋମବାର ବଡ଼ଦାଣ୍ଡରୁ ଅପରାହ୍ନ ୪ଟା ସୁଦ୍ଧା ସମସ୍ତ ଅସ୍ଥାୟୀ ଦୋକାନ ଖାଲି କରାଯାଇଥିଲା । ବାହାରକୁ ନବାହାରିବା ପାଇଁ ଡାକବାଜି ଯନ୍ତ୍ରରେ ନିବେଦନ କରିଥିଲା ପୋଲିସ ।

ପ୍ରଶାସନର ସବୁ ନିର୍ଦ୍ଦେଶକୁ ପୁରୀ ବାସୀ ଅକ୍ଷରେ ଅକ୍ଷରେ ପାଳନ କରିବା ସହ ସରକାରଙ୍କ ନିର୍ଦ୍ଦେଶ ମାନି ବାହାରକୁ ବାହାରିନଥିଲେ । କିପରି କାଳିଆର ଘୋଷଯାତ୍ରା ସମ୍ପନ୍ନ ହେବ ସେ ନେଇ କେବଳ ପ୍ରାର୍ଥନା କରିଥିଲେ ।  ଶାନ୍ତିଶୃଙ୍ଖଳାର ସହ ଘୋଷଯାତ୍ରା ସମ୍ପନ୍ନ ହେବା ସହ ନିର୍ଦ୍ଧାରିତ ସମୃୟ ପୂର୍ବରୁ ଶରଧାବାଲିରେ ତିନି ରଥ ପହଞ୍ଚିଯାଇଥିଲା ।

Leave a Reply

ନଜର ପକାନ୍ତୁ