ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ବେଆଇନ ଦେଶୀ ବନ୍ଧୁକ ଜବତ

ବାରିପଦା: ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ବେଆଇନ ଦେଶୀ ବନ୍ଧୁକ ଜବତ । ଶିମିଳିପାଳରେ ପୋଲିସ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ଜାରିଥିବାବେଳେ ଏହି ବନ୍ଧୁକ ଜବତ ନେଇ ସୂଚନା ଦିଆଯାଇଛି । ଶିକାରୀଙ୍କ ଆକ୍ରମଣରେ ଦୁଇ ବନ କର୍ମଚାରୀ ସହିଦ ହେବା ପରେ ପରେ ଜୁନ ୧୮ ତାରିଖରେ ପୋଲିସ ପକ୍ଷରୁ ଶିମିଳିପାଳକୁ ଶିକାର ଓ ଶିକାରୀମୁକ୍ତ କରିବା ପାଇଁ ୯ଟି ଥାନା ଅଧୀନସ୍ଥ ଜଙ୍ଗଲ ସଂଲଗ୍ନ ଗାଁଗୁଡ଼ିକରେ ଅସ୍ତ୍ରଶସ୍ତ୍ର ତଲାସି ଅଭିଯାନ ଆରମ୍ଭ ହୋଇଥିଲା। ୪ପ୍ଲାଟୁନ ପୋଲିସ ଫୋର୍ସ ସହିତ ଥାନା କର୍ମଚାରୀ ଏଥିରେ ସାମିଲ ଅଛନ୍ତି ।

ଶିମିଳିପାଳ ସଂଲଗ୍ନ ୧୨ଟି ଥାନାରେ ଦେଶୀବନ୍ଧୁକ ସମର୍ପଣ ଅଭିଯାନ ଆରମ୍ଭ କରାଯାଇ ବ୍ୟାପକ ଜନସେଚତନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୂର୍ବରୁ ଏ ସମ୍ପର୍କରେ ୪୦ଟି ମାମଲା ରୁଜୁ ହେବା ସହିତ ୧୬୫ଟି ବନ୍ଧୁକ, ଗୁଳି, ଗୋଟିଏ ଦେଶୀ ବନ୍ଧୁକ ତିଆରି କାରଖାନା, ବଜ୍ରକାପ୍ତା ଛାଲ, ନଗଦ ୨ଲକ୍ଷ ୯୫ହଜାର ଟଙ୍କା, ମୋବାଇଲ ଫୋନ, ବନ୍ୟପ୍ରାଣୀ ମୃତଦେହ, ମାଂସ ଆଦି ଜବତ କରାଯିବା ସହିତ ୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ଜାରିଥିବାବେଳେ ୭୧ଟି ବନ୍ଧୁକ ଜବତ କରାଯାଇଛି ।