ବିଦେଶୀ ଖାଇବେ ୪୦୦ରୁ ଅଧିକ ବ୍ୟଞ୍ଜନ, ମାଣ୍ଡିଆ ସୁଶୀ ସାଙ୍ଗକୁ ଜାପାନରୁ ମଗାଯାଇଛି ଅକ୍ଟୋପସ

ନୂଆଦିଲ୍ଲୀ: ଜି ୨୦ ସମ୍ମିଳନୀ ପାଇଁ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ପ୍ରସ୍ତୁତ ଭାରତ ମଣ୍ଡପମରେ ବିଭିନ୍ନ ରାଷ୍ଟ୍ରାଧ୍ୟକ୍ଷଙ୍କ ପାଇଁ ୭୦୦ ସେଫ୍‌ ଖାଦ୍ୟ ପ୍ରସ୍ତୁତ କରିବେ  । ବିଦେଶୀ ଅତିଥିଙ୍କ ପାଇଁ ପାଖାପାଖି ୪୦୦ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ ହେବ  । ଏହା ଛଡା ଶ୍ରୀ ଅନ୍ନରେ ପ୍ରସ୍ତୁତ ଦେଶୀ ଖାଦ୍ୟ ବିଦେଶୀ ଅତିଥିଙ୍କୁ ପରଷାଯିବ  । ସେପଟେ ଦିଲ୍ଲୀ ସରକାର ଜି ୨୦ ସମ୍ମିଳନୀରେ ପରଷା ଯିବାକୁ ଥିବା ଖାଦ୍ୟର ମାନ ଯା଼ଞ୍ଚ ପାଇଁ ଫୁଡ ସେଫ୍ଟୀ ଅଧିକାରୀଙ୍କୁ ମୁତୟନ କରିଛନ୍ତି  ।

ଜି ୨୦ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀର ବଡ ପାଞ୍ଚ ତାରକା ହୋଟେଲ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯାଇଛି  । ଏହା ସହ ସମ୍ମିଳନୀର ଭେନ୍ୟୁ ଭାରତ ମଣ୍ଡପମରେ ଅତିଥି ମାନଙ୍କ ପାଇଁ ବ୍ରେକଫାଷ୍ଟ, ମଧ୍ୟାହ୍ନ ଭୋଜନ, ହାଇ ଟି, ଡିନର ଏହି ତାରକା ହୋଟେଲର ସେଫ୍‌ ପ୍ରସ୍ତୁତ କରିବେ  । ଭାରତ ମଣ୍ଡପମ୍‌ ଭିତରେ ଏକ ଲାଇଭ କିଚେନ୍‌ର ବ୍ୟବସ୍ଥା କରାଯାଇଛି  । ଅତିଥିଙ୍କ ବରାଦ ଅନୁସାରେ ସେଫ୍‌ ସାଙ୍ଗେସାଙ୍ଗେ ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କୁ ପରଷିବେ  ।  ରୂପା ବାସନରେ ଅତିଥିଙ୍କୁ ଖାଦ୍ୟ ପରଷାଯିବ  । ଏଥିରେ ଭାରତର ବ୍ୟଞ୍ଜନ ଠୁ ନେଇ ଅନ୍ୟ ଦେଶର ପାରମ୍ପାରିକ ଖାଦ୍ୟ ଉପଲବ୍ଧ ହେବ  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶୀ ଖାଦ୍ୟପେୟକୁ ଅଧିକ ଗୁରୁତ୍ବ ଦେଇ ଆସୁଛନ୍ତି  । ଏଣୁ ମିଲେଟରେ ପ୍ରସ୍ତୁତ ସୁଶୀ, ବାଜରା ଗହମର ନୁଜଲ୍ସ ଭଳି ପ୍ରସ୍ତୁତ ଖାଦ୍ୟ ବିଦେଶୀ ଅତିଥିଙ୍କୁ ପରଷାଯିବ  । ସେହିପରି ମାଂସାହାରୀ ଅତିଥିଙ୍କ ପାଇଁ ଜାପାନରୁ ଅକ୍ଟୋପସ ଓ ସାଲମନ ମାଛ ମଗାଯାଇଛି  ।

ବିଦେଶୀ ରହୁଥିବା ୧୯ଟି ପାଞ୍ଚ ତାରକା ହୋଟେଲରେ ୧୮ ଅଧିକାରୀ ଖାଦ୍ୟ ପଦାର୍ଥର ମାନ ଯାଞ୍ଚ କରିବେ  । ସେହିପରି ୨୪ ଘଣ୍ଟା ମଧ୍ୟରେ କଞ୍ଚାମାଲର ଲ୍ୟାବ୍‌ ରିପୋର୍ଟ ଆସିବା ପରେ କଞ୍ଚା ଖାଦ୍ୟ ସାମଗ୍ରୀକୁ ରୋଷେଇରେ ବ୍ୟବହାର କରାଯିବ  । ଲ୍ୟାବ ଟେଷ୍ଟିଂ ବିନା ନା ରୋଷେଇରେ କୌଣସି ସାମଗ୍ରୀ ବ୍ୟବହୃତ ହେବ ନା ରନ୍ଧାଯିବ  ।

ଦୁଇ ଦିବସୀୟ ଜି୨୦ ସମ୍ମିଳନୀ ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ  । ବିଭିନ୍ନ ଦେଶର ପ୍ରତିନିଧିଙ୍କ ରହିବା ପାଇଁ ୨୩ଟି ପଞ୍ଚତାରକା ହୋଟେଲର ବ୍ୟବସ୍ଥା କରାଯାଇଛି  ।