ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ଭତ୍ତା ଟଙ୍କା ପାଇଁ ଚୌକିରେ ୧୫ କିମି ବୁହା ହେଲେ ୭୦ ବର୍ଷୀୟ ବୃଦ୍ଧା

1 min read

ନନ୍ଦିଘୋଷ ବ୍ୟୁରୋ: ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର । ଭତ୍ତା ଟଙ୍କା ପାଇଁ ଚୌକିରେ ୧୫ କିଲୋମିଟର ବୁହା ହେଲେ ୭୦ ବର୍ଷୀୟ ବୃଦ୍ଧା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଲଙ୍ଗୀର ପାଟଣାଗଡ଼ ଅଞ୍ଚଳରେ । ଚାଲିବାକୁ ଅକ୍ଷମ ଜନଜାତି ବର୍ଗର ଏହି ବୃଦ୍ଧାଙ୍କ ଆର୍ଥିକ ଅନାଟନ ଏତେ ଯେ, ବ୍ୟାଙ୍କ ପାଖରେ ପହଞ୍ଚିବାକୁ ଗାଡ଼ି ଖଣ୍ଡେ ଭଡ଼ା କରିବାକୁ ନାହିଁ ଅର୍ଥ । ସମ୍ପର୍କୀୟମାନେ ଚୌକିରେ ବୃଦ୍ଧାକୁ ଉଠାଇ ନେଇ କରାଇଛନ୍ତି କେ-ଓ୍ବାଇସି । ଶାରିରୀକ ଅକ୍ଷମତା ଓ ବୟବୃଦ୍ଧ ବୃଦ୍ଧାଙ୍କ ଘରକୁ ଯାଇ ଭତ୍ତା ଟଙ୍କା ଦେବାର ସରକାରୀ ବ୍ୟବସ୍ଥା ଥିଲେ ବି ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ବୃଦ୍ଧା ଜଣକ ହୀନିମାନ ହେଉଛନ୍ତି । ହେଲେ ଗରିବ ନିଃସହାୟ କଥା ଶୁଣୁଛି କିଏ ?

ପାଗଣାଗଡ଼ ବାଙ୍କୀବାହାଲ ଗ୍ରାମର ଗଣେନ ବରିହା । ବୟସ ୭୦ । ଚାଲିବାକୁ ଅକ୍ଷମ । ବ୍ୟାଙ୍କ କେଓ୍ବାଇସି ନଥିବାରୁ ପାଉନାହାନ୍ତି ଭତ୍ତା ଟଙ୍କା । ଏବେ କେଓ୍ବାଇସି ପାଇଁ ଚୌକିରେ ବୁହା ହୋଇ ଯାଉଛନ୍ତି ୧୫ କିଲୋମିଟର । ଏ ଦୃଶ୍ୟ ହେଉଛି ବଲାଙ୍ଗୀର ପାଟଣାଗଡ଼ ଅଞ୍ଚଳର । ମାଳ ମାଳ ସରକାରୀ ଯୋଜନା, ମାଳ ମାଳ ନିୟମ । ହେଲେ ନିୟମ ପାଳନ କରୁଛି କିଏ ? ନିୟମ ରହିଛି ଶାରିରୀକ ଭିନ୍ନକ୍ଷମ ଓ ଶଯ୍ୟାଶାୟୀ ବୃଦ୍ଧବୃଦ୍ଧାମାନଙ୍କୁ ଭତ୍ତା ଟଙ୍କା ନଗଦ ଆକାରରେ ଘରେ ପହଞ୍ଚାଇ ଦିଆଯିବ । ହେଲେ ସରକାରୀ ବାବୁ କ’ଣ ଏତେ କଷ୍ଟ କରିବେ ? କିଏ ପାଇଲେ ପାଉ ନ ପାଇଲେ ନ ପାଉ ତାଙ୍କ ଦରମା କ’ଣ ବନ୍ଦ ହୋଇଯାଉଛି ? ବୃଦ୍ଧା ଠିକରେ ଚାଲିବୁଲି ପାରୁନାହାନ୍ତି ଘରେ ଶଯ୍ୟାଶାୟୀ ଅଛନ୍ତି I ଗାଡ଼ି ଭଡ଼ା କରି ବ୍ୟାଙ୍କ ବୃଦ୍ଧାଙ୍କୁ ନେବାକୁ ପରିବାର ପାଖରେ ଟଙ୍କା ନାହିଁ । ଘୋର ଆର୍ଥିକ ଅନାଟନ । ଭତ୍ତା ଟଙ୍କା ଗଣ୍ଡାକ ଭରସା । ଘର ଚଳିବା ପାଇଁ ପାଖରେ ଟଙ୍କା ନଥିବାରୁ ସମ୍ପର୍କୀୟମାନଙ୍କୁ କହିବା ପରେ, ସମ୍ପର୍କୀୟ ଗୋଟିଏ ଚୌକିରେ ବସାଇ ବୃଦ୍ଧାକୁ ଦୂର ପାଟଣାଗଡ଼କୁ ଟେକି ଟେକି ଆଣି କେଓ୍ବାଇସି କରିଥିଲେ I ବିଶେଷ କରି ଆଦିବାସୀମାନେ ଭତ୍ତା ଯନ୍ତ୍ରଣାର ବାରମ୍ବାର ହଇରାଣ ହରକତ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଦିବାସୀ ନେତା I

ବୃଦ୍ଧାଟିର ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ପାଟଣାଗଡ଼ ବିଡ଼ିଓ ସୁମନ ମିଞ୍ଜଙ୍କୁ ଯୋଗାଯୋଗ କରିଥିଲେ । ବୃଦ୍ଧାଙ୍କ ବିଷୟରେ ଜଣାଇଥିଲେ I ବିଡିଓ ତଦନ୍ତ କରି ଶୀଘ୍ର ତାଙ୍କୁ ନଗଦ ଅର୍ଥ ଭାବେ ଭତ୍ତା ଟଙ୍କା ଦିଆଯିବ ବୋଲି କହିଥିବା ଜଣାପଡିଛି । ଏଭଳି ଦୁଃଖଦ ଘଟଣା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ପ୍ରଶାସନିକ ଅଧିକାରୀଙ୍କ ଏପରି ଅବହେଳାକୁ ସବୁ ମହଲରେ ନିନ୍ଦା କରାଯାଇଛି ।

ଏ କେବଳ ଗଣେନ ବରିହା ନୁହଁନ୍ତି । ଗତ ଜୁନ୍‌ ପହିଲାରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ପଞ୍ଚାୟତ ପାଣ୍ଡେସରା ଗାଁର ଭିନ୍ନକ୍ଷମ ବିଧବା ମହିଳା ସୁରେଖା ନାଗ ଭତ୍ତା ପାଇଁ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ଯାଉଥିବା ଭିଡିଓ ଭାଇରାଲ ହୋଇଥିଲା ।