ପୁଣି କାରରେ ଘୋଷଡ଼ା ହେଲା ମଣିଷ: ୭୦ ବର୍ଷ ବୃଦ୍ଧଙ୍କ ମୃତ୍ୟୁ

ଚମ୍ପାରନ: ବିହାରରେ ଦିଲ୍ଲୀ ଅଞ୍ଜଳି ସିଂ ଘଟଣାର ରିପିଟ । ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧଙ୍କୁ କାର୍ ବନେଟରେ ୮ କିମି ଘୋଷାଡ଼ି ମାରି ଦେଲେ ଚାଳକ ଓ ଯାତ୍ରୀ । ବିହାର ପୂର୍ବ ଚମ୍ପାରନ ଜିଲ୍ଲାର ଜାତୀୟ ରାଜପଥ ୨୭ରେ ଘଟିଛି ଲୋମହର୍ଷକ ଘଟଣା । କାରରେ ଲାଖିଥିବା ବୃଦ୍ଧ ଚିତ୍କାର କରି ଚାଲିଥିଲେ ବି ଡ୍ରାଇଭର ଗାଡ଼ି ଅଟକାଇ ନଥିଲେ । ୮ କିମି ଘୋଷାଡ଼ିବା ପରେ ବ୍ରେକ ଲଗାଇ ଥିଲେ । ଏହାପରେ ବୃଦ୍ଧ ଜଣଙ୍କ କାରରୁ ଖସି ପଡ଼ିଥିଲେ ।

ଜିଲ୍ଲାର କତଓ୍ବା ପୋଲିସ ଥାନା ଅନ୍ତର୍ଗତ ବାଙ୍ଗ୍ରା ଗାମର ଶଙ୍କର ଚୌଧୁର ସାଇକେଲରେ ରାଜପଥରେ ଯାଉଥିଲେ । ଏହି ସମୟରେ ଗୋପାଳଗଞ୍ଜରୁ ଆସୁଥିବା ଏକ କାର୍ ତାଙ୍କୁ ବାଙ୍ଗ୍ରା ଛକରେ ଧକ୍କା ଦେଇଥିଲା । ଧକ୍କା ପରେ ବୃଦ୍ଧ ଜଣକ ବନେଟରେ ଲାଖିଯିବା ସହ ଓ୍ବାଇପରକୁ ଧରି ପକାଇଥିଲେ । ସେ ବିପନ୍ନ ଅବସ୍ଥାରେ କାର୍ ଅଟକାଇବା ଲାଗି ଚିତ୍କାର କରିଥିଲେ ବି ଚାଳକ କାର୍ ଅଟକାଇ ନଥିଲେ । ଏହା ଦେଖି ସ୍ଥାନୀୟ ଲୋକ ଗାଡିର ପିଛା କରିଥିଲେ । ତେବେ କୋତଓ୍ବାର କଦନ ଚୌକରେ ଡ୍ରାଇଭର କାରର ବ୍ରେକ ମାରିବା ପରେ ବୃଦ୍ଧ ଜଣକ ତଳେ ପଡିଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଘଟଣାସ୍ଥଳରୁ ଚାଳକ ଓ କାରରେ ବସିଥିବା ଲୋକେ ଫେରାର ହୋଇଯାଇଛନ୍ତି । ଘଟଣା ପରେ ପିପ୍ରାକୋଠି ପୋଲିସ କାରକୁ ଜବତ କରି ତଦନ୍ତ ଚଳାଇଛି । କାରଟି ମୋତିହାରର ଜଣେ ଡାକ୍ତରଙ୍କର ବୋଲି ସୂଚନା ମିଳିଛି ।