ଏସଏଚଜିରୁ ଉଦ୍ୟୋଗୀ, ମାଆ ସାଜିବେ ରୂପାନ୍ତରର ସାରଥି

1 min read

ଭୁବନେଶ୍ୱର: ଓଡ଼ିଶାର ମାଆମାନେ ରୂପାନ୍ତରର ସାରଥି ସାଜିଛନ୍ତି । ୭୦ ଲକ୍ଷ ମାଆ ଆଜି ଏସଏଚଜିରୁ ହେବାକୁ ଯାଉଛନ୍ତି ଉଦ୍ୟୋଗୀ । ସେମାନେ କାହାଠୁ କମ୍‌ ନୁହନ୍ତି । ପ୍ରତିଭା ଓ ଦକ୍ଷତା ଦ୍ୱାରା ନିଜ ପାଇଁ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ସ୍ଥାନ । ମାଆମାନେ ପ୍ରମାଣିତ କରିଛନ୍ତି, ଝିଅ ଆଜି ପରିବାର ପାଇଁ ବୋଝ ନୁହଁ, ପରିବାରର ମଣି- କନ୍ୟାରତ୍ନ । ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଆଜି ଲୋକସେବା ଭବନ କନଭେନସନ ସେଣ୍ଟରରେ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ଚଳିତବର୍ଷ ଆନ୍ତର୍ଜାତିକ ମହିଳା ଦିବସର ଥିମ୍ ରହିଛି ‘ନବ ପରିବର୍ତ୍ତନ ଓ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଲିଙ୍ଗଗତ ସମାନତା ହାସଲ’। ଏହା ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । ଇନୋଭେସନ ଓ ଟେକ୍ନୋଲୋଜିର ପ୍ରୟୋଗରେ ଶିକ୍ଷା, ନିଯୁକ୍ତି, କର୍ମକ୍ଷେତ୍ର ଏବଂ ସମାଜର ସବୁ କ୍ଷେତ୍ରରେ ବିଭେଦ ଦୂର କରି ମହିଳାଙ୍କ ଅଧିକାରର ସୁରକ୍ଷା କରାଯାଉଛି । ରୋକାଯାଇ ପାରୁଛି ମହିଳାବିରୋଧୀ ହିଂସା । ଏ ଦିଗରେ ସମସ୍ତେ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ଏହି ଅବସରରେ ମହିଳାଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ପ୍ରଶଂସା କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶ ବିଭାଗର ଯୁବ ମାସ୍କଟ ‘କୁନି’ର ଉନ୍ନୋଚନ ସହିତ ନୂଆ ଶିଶୁନୀତି ‘ପ୍ରାରମ୍ଭ’ର ଶୁଭାରମ୍ଭ କରିଥିଲେ । ଆଶୀର୍ବାଦ ଯୋଜନାର ଏମଆଇଏସ୍ ପୋର୍ଟାଲ୍, ଓ୍ଵାନ୍ ଷ୍ଟପ୍ ସେଣ୍ଟର, ସଫଳ ମହିଳାଙ୍କ କାହାଣୀ ଉପରେ ଏକ କେସ୍ ଷ୍ଟଡି ବୁକଲେଟ ମଧ୍ୟ ଉନ୍ମୋଚିତ ହୋଇଛି । ୩ ଜଣ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ, ଶ୍ରେଷ୍ଠ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ ଶ୍ରେଷ୍ଠ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା।