ବେଆଇନ ଘର ଭାଙ୍ଗିବାକୁ ଯାଇଥିବା ପୋଲିସ ଉପରେ ଆକ୍ରମଣ

ପାଟନା: ବିହାର ରାଜଧାନୀ ପାଟନାରେ ବେଆଇନ ଘର ଭାଙ୍ଗିବା ପାଇଁ ଯାଇଥିବା ପୋଲିସ ଉପରେ ଆକ୍ରମଣ ହୋଇଛି । ଏଥିରେ କିଛି ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସିଟି ଏସପି ଅମରୀଶ ରାହୁଲ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ପୋଲିସ ରାଜୀବ ନଗରରେ ବେଆଇନ କବଜା ହଟାଇବା ପାଇଁ ଯାଇଥିଲା । ଏହି କାର୍ଯ୍ୟରେ ୧୭ ଜେସିବି ନିୟୋଜିତ କରାଯାଇଥିଲା । ସେହିପରି ୨୦୦୦ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସ୍ଥାନୀୟ ଲୋକମାନଙ୍କ ବିରୋଧ ସତ୍ତ୍ୱେ ପୋଲିସ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଥିଲା । ରାଜୀବ ନଗର ଥାନା ଅଞ୍ଚଳର ନେପାଳି ନଗରରେ ୭୦ ଘର ଧ୍ୱସଂ କରାଯାଉଛି  । ଏନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପୋଲିସ ମୁତାବକ ଘର ଭାଙ୍ଗିବା ପାଇଁ ଯିବା ସମୟରେ ଲୋକମାନେ ନିଜ ନିଜ ଘର ଛାତ ଉପରେ ଥାଇ ଟେକା ପଥର ଫୋପାଡି ମାଡ଼ କରିଥିଲେ । ଏଥିରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୋଲିସକୁ ଲୁହ ବୁହା ଗ୍ୟାସର ପ୍ରୟୋଗ କରିବାକୁ ପଡିଥିଲା । ନେପାଳି ନଗରରେ ସ୍ଥିତି ବର୍ତ୍ତମାନ ଉତ୍ତେଜନାପୂର୍ଣ୍ଣ ରହିଛି । ଅତିରିକ୍ତ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ରହିଛନ୍ତି ।

ପାଟନା ଜିଲ୍ଲାପାଳ ଚନ୍ଦ୍ରଶେଖର କହିଛନ୍ତି ଘର ଭଙ୍ଗା କାର୍ଯ୍ୟ ଜାରି ରହିବ । କୌଣସି ବି ସ୍ଥିତିରେ ଲୋକମାନଙ୍କୁ ସରକାରୀ ଜମିକୁ କବଜା କରିବା ପାଇଁ ଦିଆଯିବ ନାହିଁ । ଜିଲ୍ଲାପାଳ ସୂଚନା ଦେଇଛନ୍ତି ଲୋକମାନଙ୍କ ଆକ୍ରମଣରେ ଦୁଇ ଜଣ ଯବାନ ଏବଂ ସିଟି ଏସପି ଆହତ ହୋଇଛନ୍ତି  । ୧୨ ଜଣ ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଛି । ଭିଡିଓ ସିସିଟିଭି ଫୁଟେଜରୁ ଅନ୍ୟ ଆକ୍ରମଣକାରୀଙ୍କ ଚିହ୍ନଟ କରାଯାଉଛି । ବର୍ତ୍ତମାନ ସ୍ଥିତି ପୋଲିସର ନିୟନ୍ତ୍ରଣାଧୀନ ରହିଥିବା ଜିଲ୍ଲାପାଳ କହିଛନ୍ତି  । ତେବେ ସରକାରୀ ଜମିରେ ବେଆଇନ ନିର୍ମାଣକୁ ଭାଙ୍ଗିବା ସମ୍ପର୍କିତ ନୋଟିସ୍ ଲୋକମାନଙ୍କୁ ପୂର୍ବରୁ ଦିଆଯାଇଥିବା କହିଛନ୍ତି ସେ । ଅନ୍ୟପ କ୍ଷରେ ସ୍ଥାନୀୟ ଲୋକେ କହିଛନ୍ତି, ଆମେ ପ୍ରତି ମାସରେ ନଗର ନିଗମକୁ ଟିକସ ଦେଉଛି । ତେବେ ଆମ ଘର ବେଆଇନ ହେଲା କିପରି  ।