ସମାଜବାଦୀ ପାର୍ଟିରେ ମିଶିଲେ ୭ ବିଧାୟକ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ବିଏସପିକୁ ଶକ୍ତ ଧକ୍କା । ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସାମିଲ ହେଲେ ସମାଜବାଦୀ ପାର୍ଟିରେ । ପଦ୍ମ ଦଳରୁ ମୋହ ଭଙ୍ଗ ହେବା ପରେ ଅଖିଳେଶଙ୍କ ସାଇକେଲ ଚଢ଼ିଛନ୍ତି ସୀତାପୁରର ବିଜେପି ବିଧାୟକ ରାକେଶ ରାଠୋର ।
ସେହିପରି ବିଏସପିର ୬ ନିଲମ୍ବିତ ବିଧାୟକ ଅସଲମ ରାଇନି, ଅସଲମ ଅଲ୍ଲୀ ଚୌଧୁରୀ, ମୁଜତବା ସିଦ୍ଦିକି, ହାକିମ ଲାଲ ବିନ୍ଦ, ହରଗୋବିନ୍ଦ ଭାର୍ଗବ ଏବଂ ସୁଷମା ପଟେଲ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଜେପି ଉତ୍ତର ପ୍ରଦେଶରୁ ସଫା ହୋଇ ଯିବ ବୋଲି ଅଖିଳେଶ କହିଛନ୍ତି ।
ସେ ଆହୁରି କହିଛନ୍ତି, ‘ବିଜେପି ଘୋଷଣାପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହିଁ । ୨୦୨୨ ବେଳକୁ ଚାଷୀଙ୍କ ଆୟ ଦୁଇଗୁଣା ହୋଇଯିବ ବୋଲି ଦଳ ଘୋଷଣା କରିଥିଲା, ହେଲେ ଆଜି ଚାଷୀ ଜାଣିବାକୁ ଚାହୁଁଛନ୍ତି ଆୟ ଦୁଇଗୁଣା କେବେ ହେବ । ଘୋଷଣା ପତ୍ରରେ ଥିବା ଗୋଟିଏ ବି ପ୍ରତିଶ୍ରୁତି ଯୋଗୀ ସରକାର ପୂରଣ କରିନି । ଝାନସୀ ଓ ମଥୁରାରେ ମେଟ୍ରୋ ଟେନ୍ ଚଲାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିଶ୍ରୁତି ଦେଇଥିଲେ । ହେଲେ ମେଟ୍ରୋ ତ ହେଲାନି । ସମାଜବାଦୀ ପାର୍ଟି ସରକାରରେ ଯେଉଁଠି ମେଟ୍ରୋ ହେବାକୁ ସ୍ଥିର ହୋଇଥିଲା, ସେଠାରେ କାମ ଆରମ୍ଭ କରିଛି ।