ପ୍ରସାଦ ସେବନ ବେଳେ ଉପୁଡ଼ି ପଡ଼ିଲା ଗଛ, ୭ ମୃତ

ଅକୋଲା: ମନ୍ଦିର ପରିସରରେ ନିମ୍ବ ଗଛ ଉପୁଡି ୭ମୃତ । ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଅଘଟଣ । ପ୍ରସାଦ ସେବନ ବେଳେ ମନ୍ଦିର ପରିସରରେ ଥିବା ନିମ୍ବ ଗଛ ଉପୁଡ଼ି ପଡ଼ିବାରୁ ୭ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୫ଜଣ ମଧ୍ୟ ଗୁରୁତର ହୋଇଛନ୍ତି ।

ଗତକାଲି ସନ୍ଧ୍ୟାରେ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ପ୍ରବଳ ବର୍ଷା ପବନ ଯୋଗୁ ଟିଣ ଛପର ସେଡ୍ ଉପରେ ଗଛଟି ଉପୁଡ଼ି ପଡ଼ିଥିଲା । ସେଡ୍ ତଳେ ପ୍ରାୟ ୩୫ରୁ ୪୦ ଶ୍ରଦ୍ଧାଳୁ ଫସି ରହିଥିବା ବେଳେ ୭ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୫ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଅକୋଲା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ପାଇ ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ଜେସିବି ମେସିନ ସାହାଯ୍ୟରେ ଗଛ ହଟାଯାଇଥିଲା । ସ୍ଥାନୀୟ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସଙ୍ଗେ ସଙ୍ଗେ ଗ୍ୟାସ କଟର ସାହାଯ୍ୟରେ ଗଛ ଓ ସେଡ୍କୁ କାଟି ତା’ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଅକୋଲା ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ।