କରମା ବିସର୍ଜନ ବେଳେ ଅଘଟଣ, ପାଣିରେ ବୁଡ଼ି ଯାଇ ୭ ଯୁବତୀ ମୃତ
1 min read
ରାଞ୍ଚି: ଝାଡ଼ଖଣ୍ଡର ଲାତେହାରରେ ବଡ଼ ଅଘଟଣ ଘଟିଛି । ଲାତେହାର ଜିଲ୍ଲାର ବାଲୁମାଥରେ କରମା ବିସର୍ଜନ ବେଳେ ପାଣିରେ ବୁଡ଼ି ଯାଇ ୭ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ୧୦ରୁ ୨୦ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି । ପୋଲିସ ଖବର ପାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ସୂଚନା ଅନୁସାରେ ୭ ମୃତକଙ୍କ ମଧ୍ୟରେ ୩ ଭଉଣୀ ଅଛନ୍ତି । ଗ୍ରାମବାସୀଙ୍କ ଅନୁସାରେ, ଟୋରି-ବାଲୁମାଥ ରେଲୱେ ଲାଇନ୍ ନିର୍ମାଣ ଲାଗି ଖୋଳା ଯାଇଥିବା ଗଭୀର ଗଡ଼ିଆରେ ଯୁବତୀମାନେ କରମା ଡାଳ ବିସର୍ଜନ କରିବାକୁ ଯାଇଥିଲେ । ଏହି ସମୟରେ ଅଘଟଣ ଘଟିଥିଲା । ଗ୍ରାମବାସୀ ସୂଚନା ପାଇଁ ଉଦ୍ଧାର କାର୍ଯ୍ୟ କରିଥିଲେ । ଉଦ୍ଧାର ବେଳକୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୩ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।